ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ତୁଡ଼ିପାଜୁ ଠାରେ ଥିବା ଜବାହର ନବୋଦୟ ବିଦ୍ୟାଳୟରେ ଛାତ୍ର ଅଶାନ୍ତିକୁ ନେଇ ଅଭିଭାବକ ମହଲର ଚିନ୍ତାର କାରଣ ହୋଇଛି। ବାରମ୍ବାର ନବୋଦୟ ବିଦ୍ୟାଳୟରେ ନାନା ପ୍ରକାର ସମସ୍ୟା ସହିତ ଅଶାନ୍ତି ଦେଖାଯାଇଥିବା ବେଳେ ନିକଟରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ସୁବାସ ସରକାର କନ୍ଧମାଳ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ନିଜେ ନବୋଦୟ ବିଦ୍ୟାଳୟକୁ ଗସ୍ତକରି ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରେ ରହି ବିିଭିନ୍ନ ଦିଗ ଉପରେ ସମୀକ୍ଷା କରିଥିଲେ।
ସମସ୍ୟା ଉପରେ ଅବଗତ ହେବା ସହିତ ତୁରନ୍ତ ଏଦିଗରେ ପଦକ୍ଷେପ ନେବା ପାଇଁ ଦାୟିତ୍ୱରେ ଥିବା ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେବାର ୨ ଦିନ ବିତିଛି କି ନାହିଁ ପୁଣିଥରେ ବିଦ୍ୟାଳୟର ଆସିଛି ସଂଘାତିକ ଅଭିଯୋଗ। କିଛି ସିନିୟର ଛାତ୍ରଙ୍କ ଦ୍ୱାରା ଜୁନିୟର ଛାତ୍ରମାନେ ରେଗିଙ୍ଗ୍ ଶୀକାର ହୋଇଥିବା ଭଳି ଅଭିଯୋଗ ହୋଇଥିବା ବେଳେ ସ୍କୁଲ କର୍ତ୍ତୁପକ୍ଷ ସଂପୂର୍ଣ୍ଣଭାବେ ନିରବ ପାଲଟିଛନ୍ତି। ବିଦ୍ୟାଳୟ ପରିସରକୁ ନା ଅଭିଭାବକ ନା କୌଣସି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଯିବାକୁ ଦେଉନଥିବା ବେଳେ ଏହା ଅଧିକ ରହସ୍ୟମୟ ହୋଇ ପଡ଼ିଛି। ଅଭିଯୋଗ ପ୍ରକାରେ ବିଦ୍ୟାଳୟର ରୁଦ୍ର ନାରାୟଣ ପଟନାୟକ ଓ ସାର୍ଥକ ପଣ୍ଡାଙ୍କ କିଛି ସିନିୟର ଛାତ୍ରରେଗିଙ୍ଗ୍ କରିବା ସହିତ ମାଡ଼ ମାରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବିରୁପାକ୍ଷ ଚୌଧୁରୀ ନାମକ ଜଣେ ଯୁକ୍ତ ଦୁଇର ଛାତ୍ର ଓ ତାଙ୍କର କିଛି ସାଙ୍ଗ ଏଭଳି ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ତେବେ ଏନେଇ ସ୍କୁଲ କର୍ତ୍ତୁପକ୍ଷଙ୍କୁ ପଚାରିଲେ କେହି କିଛି ଉତ୍ତର ଦେଉନାହାନ୍ତି।
ପ୍ରକାଶଯେ, ଗତ କିଛିଦିନ ତଳେ ଉକ୍ତ ବିଦ୍ୟାଳୟର ଜଣେ ଛାତ୍ର ପାଣିରେ ପଡ଼ି ମୃତ୍ୟୁବରଣ କରିଥିବା କୁହାଯାଇଥିଲେ ମଧ୍ୟ ସେହି ସମୟରେ ମୃତ ଛାତ୍ରଙ୍କ ପରିବାର ପକ୍ଷରୁ ତାଙ୍କୁ ମାରିଦିଆଯାଛି ବୋଲି ଅଭିଯୋଗ ହୋଇଥିଲା। ତେବେ ସେବେଠାରୁ ନେଇ ଆଜି ପର୍ଯ୍ୟନ୍ତ ସେହି ଘଟଣାର କୌଣସି ପ୍ରକାର ତଦନ୍ତ କରାଯାଇ ନଥିବା ଅଭିଯୋଗ ହୋଇଛି। ଉକ୍ତ ମୃତ୍ୟୁ ଘଟଣା ଆଜି ପର୍ଯ୍ୟନ୍ତ ରହସ୍ୟ ଘେରରେ ଥିବା ବେଳେ ଦୀର୍ଘଦିନ ହେଲା ଅଭିଭାବକ ମାନଙ୍କୁ ନେଇ ଯେଉଁ ବୈଠକ ବସିଥାଏ ତାହା ମଧ୍ୟ ଆୟୋଜନ କରାଯାଉ ନାହିଁ। ଯଦି କୌଣସି ଅଭିଭାବକ କିଛି ଅଭିଯୋଗ କରିବାକୁ ଚାହାନ୍ତି ତାହା ହେଲେ ବିଦ୍ୟାଳୟର ଫାଟକରେ ରହି ଅଭିଯୋଗ କରିବାକୁ ବାଧ୍ୟ କରାଯାଉଛି।
ଛାତ୍ର ମୃତ୍ୟୁ ଘଟଣା ପରେ ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀ ମଧ୍ୟ ଗସ୍ତ କରିଥିଲେ ବିଦ୍ୟାଳୟକୁ କିନ୍ତୁ ଆଜି ପର୍ଯ୍ୟନ୍ତ କିଛି ପଦକ୍ଷେପ ଗ୍ରହଣ କରିନାହାନ୍ତି। ତେବେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଘଟଣା ଘଟୁଥିବା ବେଳେ ନିିକଟରେ ଗସ୍ତକରି ଥିବା କେନ୍ଦ୍ର ମନ୍ତ୍ରୀ ମଧ୍ୟ ଦାୟିତ୍ୱରେ ଥିବା ଅଧ୍ୟକ୍ଷଙ୍କୁ ଚେତାବନି ଦେଇଥିଲେ। ତେବେ ଏହାର ମଧ୍ୟ କିଛି ପ୍ରଭାବ ପଡ଼ିନଥିବାର ଅଭିଭାବକ ମାନେ ଏଠାରେ ଅଭିଯୋଗ କରିବା ସହିତ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରାଯାଇଛି।
ବିଦ୍ୟାଳୟରେ ଘଟୁଥିବା ଘଟଣା ଓ ସମସ୍ୟାକୁ ନେଇ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ତେବେ ଯେଉଁ ରେଗିଙ୍ଗ୍ ଅଭିଯୋଗ ହୋଇଛି ରିପୋର୍ଟ ଲେଖାହେବା ସୁଦ୍ଧା ସଦରଥାନାରେ କୌଣସି ପ୍ରକାର ଏତଲା ଦିଆଯାଇନଥିବା ପ୍ରକାଶ। ଘଟଣା ସଂମ୍ପକ୍ରରେ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହିତ ଫୋନ୍ ଯୋଗେ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ମଧ୍ୟ ସମ୍ଭବ ହୋଇନାହିଁ। ଜିଲ୍ଲାପାଳ ଏଦିଗରେ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ବିଭିନ୍ନ ଅଭିଭାବକ ମାନେ ଏଠାରେ ଦାବି କରିଛନ୍ତି।