ହଷ୍ଟେଲ ପରିସରରୁ ସନ୍ଦେହ ଜନକ ଭାବେ ଛାତ୍ରର ମୃତ ଦେହ ଉଦ୍ଧାର

କୋରୁକୋଣ୍ଡା,ଏନ୍ଏନ୍ଏସ୍:ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ କେନ୍ଦ୍ରାଗୁପ୍ପା ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ସକାଳୁ ଏକ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବୁଧବାର ଦିନ ପ୍ରାୟ ୮ଟା ସମୟରେ ବିଦ୍ୟାଳୟ ନିକଟରେ ଥିବା ଏକ ଗଛରୁ ହଷ୍ଟେଲରେ ରହୁଥିବା ଜଣେ ଛାତ୍ରର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣଙ୍କ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଭୀମରାଜ ପଡ଼ିଆମୀ ବୋଲି ଜଣାପଡିଛି। ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଙ୍ଗେ ସଙ୍ଗେ ପୁଲିସକୁ ଜଣାଇଥିଲେ।

ଘଟଣାସ୍ଥଳରେ ମାଲକାନଗିରି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଛାତ୍ର ଜଣଙ୍କ ନିଜ ଗାମୁଛାକୁ ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଛି। ବର୍ତ୍ତମାନ ପୁଲିସ ଶବ ବ୍ୟବଚ୍ଛେଦ ନିମନ୍ତେ ମାଲକାନଗିରିକୁ ପଠାଇଥିବା ସୂଚନା ଦେଇଛନ୍ତି। ଏଥିସହ ପ୍ରଧାନଶିକ୍ଷକ ଓ ହଷ୍ଟେଲ ସୁପରିଟେଣ୍ଡେଣ୍ଟକୁ ପୁଲିସ ନିଜ କସ୍ଟଡିକୁ ନେଇଥିବା ଜଣାପଡିଛି।

ଘଟଣାର ସମ୍ପୂର୍ଣ ତଦନ୍ତ ପରେ ହିଁ ସତ ସାମ୍ନାକୁ ଆସିବ ବୋଲି ପୁଲିସ ସୂଚନା ଦେଇଛି। ଅପରପକ୍ଷରେ ହଷ୍ଟେଲରେ ସୁପରିଟେଣ୍ଡେଣ୍ଟ ଥାଇ ମଧ୍ୟ କିଭଳି ଭାବେ ଏହା ଘଟିଲା ଏବଂ ସେହିସୟରେ ହଷ୍ଟେଲ ପରିସରରେ ଥିବା ଶିକ୍ଷକ କଣ କରୁଥିଲେ ବର୍ତ୍ତମାନ ସେ ନେଇ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏଥି ନିମନ୍ତେ ଜଲଦି କାର୍ୟ୍ୟାନୁଷ୍ଠାନ ନିଆଯାଉ ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।