ସ୍ୱାଭିମାନ ଅଞ୍ଚଳରେ ପୁଣି ପ୍ରଜାମେଳି, ବିଏସ୍ଏଫ୍ କ୍ୟାମ୍ପକୁ ବିରୋଧ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଲଗାତାର ପ୍ରଜାମେଳି ହେବା ଦେଖିବାକୁ ମିଳୁଛି। ଗତ କିଛିଦିନ ତଳେ ଅଣ୍ଡରାପାଲି ପଞ୍ଚାୟତର ଓରାପଦର ଠାରେ ପ୍ରଜାମେଳି ହୋଇଥିବାବେଳେ ବର୍ତ୍ତମାନ ପୁଣିଥରେ ଯୋଡ଼ାଆମ୍ବ ପଞ୍ଚାୟତର କୁନ୍ତୁଳପଦର ଠାରେ ପ୍ରଜାମେଳି ହୋଇଥିବା ଦେଖିବାକୁ ମିଳିଛି। ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ କିଛିଦିନ ତଳେ ହନ୍ତାଳଗୁଡା ନିକଟରେ ବିଏସ୍ଏଫ୍ କ୍ୟାମ୍ପ କରାଯିବା ସହିତ ତ୍ରିରଙ୍ଗା ପତାକା ଉଡାଯାଇଥିଲା।

ଏହାକୁ ବିରୋଧ କରି ବୁଧବାର ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ବିଏସ୍ଏଫ୍ ଯବାନମାନେ ହଇରାଣ ହରକତ କରୁଥିବା ଉଲ୍ଲେଖ କରିଛନ୍ତି। ଏ ନେଇ ଯୋଡ଼ାଆମ୍ବ ଥାନା ଅଧିକାରୀ ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାକୁ କାର୍ୟ୍ୟକାରି କରାଯାଇନାହିଁ। ଗତ ଦୁଇ ମାସ ତଳେ ରାଲେଗାଡ଼ା ପଞ୍ଚାୟତ ରାଙ୍ଗିନିଗୁଡାରେ ରାଜୁ ହନ୍ତାଳକୁ ବିଏସ୍ଏଫ୍ ଯବାନମାନେ ପିଟି ପିଟି ହତ୍ୟା କରିଥିଲେ।

୨୦୧୩ ରେ ଯୋଡ଼ାଆମ୍ବ ପଞ୍ଚାୟତର ଆଲାମପାକା ଗ୍ରାମର ବେଣୁ ହନ୍ତାଳକୁ ବିଏସ୍ଏଫ୍ ପକ୍ଷରୁ ମାରିଦିଆଯାଇଥିଲା। ସେହିପରି ନାକାମାମୁଡ଼ି ପଞ୍ଚାୟତ ନାରଙ୍ଗିଜଳା ଗ୍ରାମର ବୁଦୁ ମୁଦୁଲି ମାଛ ଧରିବାକୁ ଯାଇଥିବାବେଳେ ବିଏସ୍ଏଫ୍ ଯବାନ ଏନକାଉଣ୍ଟର କରି ମାରିଦେଲେ। ତେବେ ବିଏସ୍ଏଫ୍ ଯବାନଙ୍କ କାମ୍ପ ଯୋଗୁଁ ସେମାନେ ସୁକ୍ଷିତ ନଥିବା ସେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ହନ୍ତାଳଗୁଡ଼ାରୁ ବିଏସ୍ଏଫ୍ କ୍ୟାମ୍ପ ଓ ଆଇଆରବିଏନ ହଟାଯାଉ ବୋଲି ଦାବି କରିଛନ୍ତି। ଏଥିସହ କୁମ୍ବିଂ ଅପରେସନ, ଆନ୍ଧ୍ର ପୁଲିସକୁ ଡକାଇ ଲୋକମାନଙ୍କୁ ହଇରାଣ କରାଯିବା ଭଳି ବିଭିନ୍ନ ଅପରେସନକୁ ବନ୍ଦ କରିବାକୁ ଦାବି କରିଛନ୍ତି।