ଦୁଙ୍ଗୁରିପାଳିରେ ସୌର ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ, ପ୍ରକଳ୍ପ ନିର୍ମାଣ ବିରୋଧରେ ପୁଣିଥରେ ତେଜିଲା ଜିଲ୍ଲା କନ୍ଧ ସମାଜ

ସଇଁନ୍ତଲା,ଏନ୍ଏନ୍ଏସ୍: ଦୀର୍ଘଦିନ ହେବ ଆଦିତ୍ୟ ବିର୍ଲା ନାମକ ଏକ ଘୋରୋଇ କମ୍ପାନୀ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ଡୁଙ୍ଗୁରିପାଲି ଓ ତେଣ୍ଡିପାଲିରେ ସୌର ପ୍ରକଳ୍ପ ନିର୍ମାଣ କରାଯିବା ନେଇ ଗ୍ରାମବାସୀ, ଜିଲ୍ଲା ଯୁବ କନ୍ଧ ଓ କମ୍ପାନୀ ମଧ୍ୟରେ ବାଦବିବାଦ ଦେଖାଯାଇଥିଲା। ତେବେ ଏହିଭଳି ସ୍ଥିତିରେ ଜିଲ୍ଲା ଯୁବ କନ୍ଧ ସମାଜ ସୌର ପ୍ରକଳ୍ପ ନିର୍ମାଣକୁ ବିରୋଧ କରିଆସୁଥିଲେ। ହେଲେ ପାଣ୍ଡବ ସାହୁ ଓଡ଼ିଶା ହାଇକୋର୍ଟରେ ସୌର ପ୍ରକଳ୍ପ ନିର୍ମାଣ ବିରୋଧରେ ଆବେଦନ କରିବା ପରେ ନ୍ୟାୟାଳୟ ରହିତାଦେଶ ଦେଇଥିଲେ।

ପରବର୍ତ୍ତୀ ସମୟରେ ଆଦିତ୍ୟ ବିର୍ଲା କମ୍ପାନୀ ରହିତାଦେଶକୁ ଚ୍ୟାଲେଞ୍ଜ କରିବା ପରେ ପ୍ରକଳ୍ପ ନିର୍ମାଣ ହେବା କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇଥିଲା। ଏନେଇ ଜିଲ୍ଲା ଯୁବ କନ୍ଧ ସମାଜ ସଂଗଠନର ଜିଲ୍ଲା ସଭାପତି ସୁରେଶ ଭୋଇଙ୍କ ନେତୃତ୍ୱରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବିରୋଧରେ କାଲିଠୁ ଆନ୍ଦୋଳନ କରିବା ପାଇଁ ଉପସଭାପତି ଧନେଶ୍ଵର ମାଝୀ, ଦୋଷମଣୀ ପଧାନୀ, ଚିତ୍ରସେନ ଭୋଇ, ବାସୁଦେବ ଯାନୀ, କିରଣ ଭୋଇ, ବନିତା ପଧାନୀ, ସେବତୀ ଭୋଇ ଓ ଧନୀ ପଧାନୀ ପ୍ରମୁଖ ସଇଁନ୍ତଲା ପୁଲିସକୁ ଅନୁମତି ମାଗିଛନ୍ତି। ଏଥିସହ ପୁଲିସକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ସୂଚନା ଦେଇଛନ୍ତି।