ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଏମଭି-୭୯ ଥାନା ଅନ୍ତର୍ଗତ ଏମଭି-୧୨୬ ଓ ଏମଭି-୭୪ ଗ୍ରାମ ଦେଇ ଯାଇଥିବା ଜାତୀୟ ରାଜପଥ କଡ଼ ଜମିକୁ ଜବର ଦଖଲ କରାଯାଇଛି। ଏହାକୁ ବିରୋଧ କରି ଆଜି ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି। ବର୍ଷ ବର୍ଷ ଧରି ଆଦିବାସୀ ଲୋକେ ଜାତୀୟ ରାଜପଥ ରାସ୍ତା କଡ଼ରେ ଥିବା ଜଙ୍ଗଲ ଜମିରେ ଚାଷ କରିଆସୁଥିବାବେଳେ କିଛି ବ୍ୟକ୍ତି ରାତ୍ରି ଅଧରେ ସେଠାରେ କିଛି ଅସ୍ଥାୟୀ ଘର ନିର୍ମାଣ କରିଛନ୍ତି।
ଏହାକୁ ବିରୋଧ କରି ଆଜି ୬ଟି ଗ୍ରାମର ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ନାଲାଗୁଣ୍ଠି ସରପଞ୍ଚ ଇର୍ମା ମାଡ଼କାମିଙ୍କ ନେତୃତ୍ୱରେ ନାଲାଗୁଣ୍ଠି, ରାଜେନଗୁଡ଼ା, ଶିଶୁଗୁଡ଼ା, ଜାକଲକୁଣ୍ଡା, ଇଦିକୋଣ୍ଡା, ନୂଆଗୁଡ଼ା ଗ୍ରାମର ପ୍ରାୟ ୨ ଶହ ଜଣ ରାସ୍ତା ଉପରେ ବାଉଁଶ ବାଡ଼ ଓ ପଥର ପକାଇ ରାସ୍ତା ଅବରୋଧ କରିଛନ୍ତି। ବହୁ ସମୟ ଜାତୀୟ ରାଜପଥ ଅବରୋଧ କରିବା ଫଳରେ ବହୁ ଯାନବାହାନ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଥିଲା। ଖବରପାଇ କାଲିମେଳା ତହସିଲଦାର ଆଲୋକ ଅନୁଗୁଳିଆ ଓ ଏମଭି-୭୯ ଥାନା ଏସଆଇ ଗଣେଶ ଚନ୍ଦ୍ର ପଟ୍ଟନାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଏହାପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା।