ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ, ପ୍ଲମ୍ବର, ଇଲେକ୍ଟ୍ରିସିଆନ, ସୁପରଭାଇଜରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଭାରତ ସିକ୍ୟୁରିଟି ସଂସ୍ଥା ଅଧୀନରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ସୁଇରଭାଇଜର, ପ୍ଲମ୍ବର, ଇଲେକ୍ଟ୍ରିସିଆନ ଓ ସୁଭରପାଇଜର ଚିକିତ୍ସାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଚାକିରିକୁ ବର୍ଷେ ପୁରିଥିଲେ ମଧ୍ୟ ତାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇ ନାହିଁ ବୋଲି କର୍ମଚାରୀମାନେ କହିଛନ୍ତି। ସେହିପରି ଦରମା ବିଳମ୍ବରେ ଦେବାସହ ଉପଯୁକ୍ତ ପ୍ରାପ୍ୟରୁ କମ୍ ଟଙ୍କା ପ୍ରଦାନ କରାଯାଉଛି। କୋଭିଡ ଇନ୍ସେନ୍ଟିଭ ପ୍ରଦାନ କରାଯାଇ ନାହିଁ। ତେଣୁ କମ୍ପାନୀ ପକ୍ଷରୁ ତାଙ୍କୁ ନିଯୁକ୍ତି ପତ୍ର, ପ୍ରତ୍ୟେକ ମାସ ୭ ତାରିଖ ଭିତରେ ସଠିକ ଦରମା ପ୍ରଦାନ, କୋଭିଡ ଇନ୍ସେନ୍ଟିଭ ଶୀଘ୍ର ପ୍ରଦାନ, ଚାକିରିରୁ କଢ଼ା ଯାଇଥିବା କର୍ମଚାରୀଙ୍କୁ ପୁନଃନିଯୁକ୍ତି ପ୍ରଦାନ କରାଯାଉ ବୋଲି ଦାବି କରିଥିଲେ। ପରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ଜୋବିତା ତୀର୍କୀ ଓ ଠିକା କମ୍ପାନୀ ମ୍ୟାନେଜର ଘଟଣାସ୍ଥଳରେ ପହଞ୍ଚି ଅନଶନକାରୀଙ୍କୁ ବୁଝାସୁଝା କରିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କମ୍ପାନୀ ମ୍ୟାନେଜର ଅନଶନକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ୧୫ ଦିନ ମଧ୍ୟରେ ସେମାନଙ୍କ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଥିଲେ।