ଝାରସୁଗୁଡ଼ା,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ସହ ବିଭିନ୍ନ ଦାବି ନେଇ ଆଜି ଝାରସୁଗୁଡ଼ା ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ରାସ୍ତା ଉପରେ ଧାରଣା ଦିଆଯାଇଛି। ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଝାରସୁଗୁଡା-ସୁନ୍ଦରଗଡ଼ ରାସ୍ତା, ପଞ୍ଚଗା, ଲଖନପୁରସ୍ଥିତ ଏନ-୪୯, କିର୍ମିରା ଓ ଲଇକେରାରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ କହିବାନୁସାରେ, ନୂତନ କୃଷି ଆଇନ କୃଷକଙ୍କର ସ୍ୱାର୍ଥର ବିରୁଦ୍ଧାଚରଣ କରୁଛି। ଏହା କୃଷି ବ୍ୟବସ୍ଥାକୁ ଧ୍ୱସଂ କରି କୃଷିର କମ୍ପାନୀକରଣ ପାଇଁ ସହାୟକ ହେଉଛି। ସେହିପରି ଏଗ୍ରିକଲଚର ପ୍ରଡିଉସ ମାର୍କେଟ କମିଟି(ଏପିଏମସି)କୁ ଭାଙ୍ଗିଦେଇ କର୍ପୋରେଟମାନଙ୍କୁ କୃଷି ବଜାରରେ ଅନୁମତି ପ୍ରଦାନ କରାଯିବା ଫଳରେ କୃଷକମାନେ ବହୁ ମାତ୍ରାରେ କ୍ଷତି ସହିବେ। ଏହି ବିଲ୍ ଆଇନରେ ପରିଣତ ହେଲେ କର୍ପୋରେଟ ସଂସ୍ଥାକୁ କୃଷି କ୍ଷେତ୍ରରେ ଅବାଧ ପ୍ରବେଶ ମିଳିବ। ଯଦ୍ୱାରା ଦେଶରେ ୮୦ ପ୍ରତିଶତ କୃଷକ ଓ ରାଜ୍ୟରେ ୮୮ ପ୍ରତିଶତ ଚାଷୀ ବହୁଳ ଭାବରେ କ୍ଷତିଗ୍ରସ୍ତ ହେବେ। ତେଣୁ ସରକାର ଏହି କୃଷି ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି ଜିଲ୍ଲାର କୃଷକମାନେ ଦାବି କରିଛନ୍ତି। ଏହାସହ ସ୍ୱାମୀନାଥନ କମିଶନ ରିପୋର୍ଟକୁ କାର୍ଯ୍ୟକାରୀ, କୃଷି ଦ୍ରବ୍ୟର ସହାୟମ ମୂଲ୍ୟରୁ ଚାଷୀଙ୍କୁ କମ୍ ଟଙ୍କା ପ୍ରଦାନ କରୁଥିବା ବ୍ୟକ୍ତି ତଥା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏମଏସପିକୁ ଆଇନରେ ପରିଣତ, ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫କୁ ପୁନଃପ୍ରଚଳନ, ଧାନ କ୍ରୟ ସମୟରେ କଟନୀଛଟନୀ ବନ୍ଦ କରିବା ଓ ଚାଷୀର ସମସ୍ତ ଧାନକୁ କିଣିବାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଜିଲ୍ଲା କୃଷକ ସଂଗଠନର ଏହି ଧାରଣାକୁ ଜିଲ୍ଲା କଂଗ୍ରେସ ଓ କମ୍ୟୁନିଷ୍ଟ ଦଳ ପକ୍ଷରୁ ସମର୍ଥନ କରାଯାଇଛି। ଏହି ଅବସରରେ ଚାଷୀ ନେତା ଗୋପିନାଥ ମାଝୀ, ବିରଞ୍ଚି ସାହୁ, ସୁରେନ୍ଦ୍ର ସାହୁ, ରମେଶ ତ୍ରିପାଠୀ, ପ୍ରଭାକର ଓରାମ, ଡମ୍ବରୁଧର ନାୟକ, କୃଷ୍ଣଚନ୍ଦ୍ର ରଥ, ପୂର୍ଣ୍ଣ ଚନ୍ଦ୍ର ସା ପ୍ରମୁଖଙ୍କ ସହ ଜିଲ୍ଲାର ଅନ୍ୟାନ୍ୟ ଚାଷୀମାନେ ଉପସ୍ଥିତ ଥିଲେ।