ଚାନ୍ଦା ଜୁଲମକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର,୨୪।୮/ଏନ୍ଏନ୍ଏସ୍: ଆଗକୁ ପାର୍ବଣ ଋତୁ ଆସୁଛି । ପାର୍ବଣ ସମୟରେ ବିଭିନ୍ନ ଅଞ୍ଚଳରେ ବେଆଇନ ଚାନ୍ଦା ଆଦାୟ କାରାଯାଉଥିବା ନଜରକୁ ଆସିଛି । ଏହାକୁ ରୋକିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଚାନ୍ଦା ଜୁଲମକାରୀଙ୍କ ବିରୋଧରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଚାନ୍ଦା ମାଗିଲେ ଜୁଲମକାରୀଙ୍କୁ ତୁରନ୍ତ ବାନ୍ଧିବାକୁ ପୁଲିସ କମିଶନର ଡ. ସୁଧାଂଶୁ ଶେଖର ଷଡ଼ଙ୍ଗୀ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱର ଓ କଟକର କେତେକ ଅଞ୍ଚଳରେ ବ୍ୟବସାୟୀ, ଗାଡ଼ି ମାଲିକ ଓ ବିଭିନ୍ନ ସ୍ଥାନରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କରାଯାଉଛି । ଏଭଳି ଅଭିଯୋଗ ଆସିବା ପରେ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି । ଚାନ୍ଦା ଜୁଲମକାରୀଙ୍କ ବିରୋଧରେ ଆଇପିସି ଧାରା ୩୯୫/ ୩୮୪/ ୩୮୬/ ୩୯୨/୩୯୪ରେ ମାମଲା ରୁଜୁ କରି ଗିରଫ କରିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।