ଷ୍ଟୋନମ୍ୟାନ୍ କୁମ୍ପା ଗିରଫ, ଦୁଇବର୍ଷ ଦଶମାସ ପରେ ଧରିଲା ପୁଲିସ

ନୟାଗଡ଼଼,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ଘଡ଼ୁଆଳଠାରେ ୨୦୧୬ ମସିହାରେ ପଥରରେ ଛେଚି ରତ୍ନପଥର ବ୍ୟବସାୟୀଙ୍କୁ କରାଯାଇଥିବା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଲିସ ହାତରେ ଲାଗିଛି। ଦୀର୍ଘ ଦୁଇବର୍ଷ ଦଶମାସ ୧୬ ଦିନ ପରେ ପୁଲିସ ହତ୍ୟାକାରୀ ଷ୍ଟୋନମ୍ୟାନ୍ କୁମ୍ପାକୁ ହତ୍ୟାକାଣ୍ଡ ଘଟିଥିବା ସ୍ଥାନ ନିକଟରୁ ଧରିଛି। ସୂଚନାନୁସାରେ, ସେହି ସମୟରେ ଘଡ଼ୁଆଳ ଗ୍ରାମର ସୁବାସ ପଣ୍ଡା ରତ୍ନପଥର ବ୍ୟବସାୟ କରୁଥିଲେ। ନିକଟସ୍ଥ ଦୁର୍ଗାପ୍ରସାଦ ଗ୍ରାମର ମହେନ୍ଦ୍ର ମାଝୀଙ୍କ ପୁଅ କିଶୋର ମାଝୀ ଓରଫ କୁମ୍ପା ମଧ୍ୟ ରତ୍ନପଥର ବ୍ୟବସାୟ ଆରମ୍ଭ କଲେ। ଫଳରେ ସୁବାସ ଓ କୁମ୍ପା ମଧ୍ୟରେ ବ୍ୟବସାୟକୁ ନେଇ ତିକ୍ତତା ଆରମ୍ଭ ହୋଇଥିଲା।

୨୦୧୬ ମସିହା ଡିସେମ୍ବର ୪ ତାରିଖ ଅପରାହ୍ନ ସମୟରେ ମା’କାଳୀ ଢାବା ସାମନାରେ ଥିବା ଏକ ଅର୍ଦ୍ଧନିର୍ମିତ ଘରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ଗାଳିଗୁଲଜ ହେଉଥିଲା। ଏହି ସମୟରେ କୁମ୍ପା ସୁବାସଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଫଳରେ ସେଠାରେ ସୁବାସ ଅଚେତ ଅବସ୍ଥାରେ ପଡ଼ିଯିବାର ସୁଯୋଗ ନେଇ କୁମ୍ପା ଏକ ପଥର ସାହାର୍ଯ୍ୟରେ ତାଙ୍କୁ ଛେଚି ଛେଚି ହତ୍ୟା କରିଥିଲେ।

ନିକଟରେ ଥିବା ଲୋକମାନେ ପାଟିଶୁଣି ଦୈାଡ଼ି ଆସିବାରୁ କୁମ୍ପା ସେଠାରୁ ଚାଲି ଯାଇଥିଲେ। ଏନେଇ କିଛି ଲୋକ ସୁବାସଙ୍କ ପରିବାରକୁ ଖବର ଦେବା ସହ ପାଣି ଛିଂଚି ତାଙ୍କ ଚେତା ଫେରାଇବା ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ପରିବାର ଲୋକ ଘଟଣାସ୍ଥଳରେ ପଂହଚି ସୁବାସଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ସୁବାସଙ୍କ ପତ୍ନୀ ଭାରତୀ ପଣ୍ଡା ନୟାଗଡ଼ ଟାଉନଥାନାରେ ଅଭିଯୋଗ କରିବା ପରେ ପୁଲିସ ୨୧୦/୧୬ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା।

ଅନ୍ୟପକ୍ଷେ କୁମ୍ପା ସେବେଠାରୁ ଫେରାର ଥିବା ବେଳେ ଗତକାଲି ଗାଁକୁ ଆସିଥିଲେ। ରାତିଦଶଟା ବେଳକୁ ସେ ଉକ୍ତ ମା’ କାଳୀ ଢାବାକୁ ଖାଇବାକୁ ଆସିଥିବା ପୁଲିସ୍ ଖବର ପାଇଥିଲା। ଢାବାରୁ ଖାଇ ଫେରିବା ବେଳକୁ ନୟାଗଡ଼ ଟାଉନଥାନା ଏସ୍ଆଇ ଧର୍ମେନ୍ଦ୍ର ଶିଆଳ ସଦଳବଳେ ତାକୁ ଧରିବା ପାଇଁ ଜାଲ ବିଛାଇଥିଲେ। ହତ୍ୟାକାଣ୍ଡ ଘଟିଥିବା ସ୍ଥାନ ନିକଟରେ ହିଁ କୁମ୍ପାକୁ ପୁଲିସ୍ ଟିମ୍ ମାଡ଼ି ବସିଥିବା ଜଣାପଡ଼ିଛି। ଆଜି କୁମ୍ପାକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଟାଉନଥାନା ଅଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ନୟାଗଡ଼ ଉପକାରାଗାରକୁ ପଠାଯାଇଛି।