ରାୟଗଡ଼ାରୁ ଚୋରି ବୋଲେରୋ ବାଲିଗୁଡ଼ାରେ ଠାବ, ଜଣେ ଅଟକ ଓ ୨ ଚମ୍ପଟ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ତେଲେଙ୍ଗାପଦର ଗାଁରୁ ଚୋରି ବୋଲେରୋ ବାଲିଗୁଡ଼ା ବାଇପାସ୍ ରାସ୍ତାରୁ ଠାବ ହୋଇଛି । ମୁନିଗୁଡ଼ା ଥାନା ଅନ୍ତର୍ଗତ ତେଲାଙ୍ଗାପଦର ଗାଁର ଲକ୍ଷ୍ମୀ ନାରାୟଣ ପାତ୍ରଙ୍କ ବୋଲେରୋ ୩ଜଣ ଦୁର୍ବୃତ୍ତ ଚୋରି କରି ନେଇଥିଲେ । ବାଲିଗୁଡ଼ା ଥାନା ପୁଲିସ ବାଲିଗୁଡ଼ା ବାଇପାସ୍ ରାସ୍ତାରୁ ବୋଲେରୋ ଠାବ କରିବା ସହ ଜଣକୁ ଅଟକ ରଖିଥିବାବେଳେ ଅନ୍ୟ ୨ଜଣଙ୍କୁ ଖୋଜୁଛି । ମିଳିଥିବା ରିପୋର୍ଟ ମୁତାବକ, ଭୋର୍ ସମୟରେ ବୋଲେରୋ ଚୋରି ହୋଇଥିବା ନେଇ ଗାଡ଼ି ରଖିଥିବା ସ୍ଥାନର ସିସିଟିଭି ଫୁଟେଜ୍ ଓ ଜିପିଏସ୍ ଟ୍ରାକ୍ କରିବା ପରେ ଲକ୍ଷ୍ମୀ ନାରାୟଣ ବାଲିଗୁଡ଼ାସ୍ଥିତ ତାଙ୍କ ମାମୁଁ ସୂର୍ଯ୍ୟ ପାତ୍ରଙ୍କୁ ଜଣାଇଥିଲେ । ସୂର୍ଯ୍ୟ ପାତ୍ର ବାଲିଗୁଡ଼ା ପୁଲିସକୁ ଜଣାଇବା ସହ ଥାନାକୁ ମଧ୍ୟ ଆସି ଥାନା ସମ୍ମୁଖରେ ନାରା ଲଗାଇଥିଲେ । ଏହାଦେଖି ଦୁର୍ବୃତ୍ତମାନେ ସେଠାରୁ ଗାଡ଼ି ବୁଲାଇ ସ୍ଥାନୀୟ କଲେଜ ନିକଟସ୍ଥ ପଣଷପଡ଼ି ବାଇପାସ୍ ରାସ୍ତା ଦେଇ ଯିବାବେଳେ ଏକ ଖାଲରେ ଫସିଯିବା ଫଳରେ ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲେ । ହେଲେ ବାଲିଗୁଡ଼ା ଥାନାଧିକାରୀ ବାବାଶଙ୍କର ସରାଫ୍ ତାଙ୍କ ଟିମ୍ ଓ ସ୍ଥାନୀୟ ଲୋକେ ପିଛା କରି ଜଣକୁ ଧରିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି । ସେପଟେ ବାଲିଗୁଡ଼ା ପୁଲିସ ତଦନ୍ତ ଅବ୍ୟାହତ ରଖି ଅନ୍ୟ ୨ଜଣ ଦୁର୍ବୃତ୍ତଙ୍କୁ ନିକଟସ୍ଥ ଜଙ୍ଗଲରେ ଖୋଜୁଥିବାବେଳେ ଅଧିକ ତଥ୍ୟ ହାସଲ ପାଇଁ ଅଟକ ଥିବା ବ୍ୟକ୍ତିଙ୍କୁ ପଚରାଉଚୁରା ଜାରୀ ରଖିଛି ।