ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ସମେତ ଖୋର୍ଦ୍ଧା ଅଞ୍ଚଳରେ ବ୍ରାଉନସୁଗର କାରବାର କରୁଥିବା ଜଣେ ନିଶାମାଫିଆକୁ କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍ ଚଢ଼ଉ କରି ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମର ପ୍ରିୟବ୍ରତ ଦାସ ଓରଫ ବୁବୁ(୨୨)। ଏସଟିଏଫ୍ ପ୍ରିୟବ୍ରତ ଠାରୁ ୩୦୫ଗ୍ରାମ ବ୍ରାଉନସୁଗର ଜବତ କରିଛି। ଯାହାର ବଜାର ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ। ଏନେଇ ଖୋର୍ଦ୍ଧା ଥାନା ପୁଲିସ କେସ ନଂ ୭୨/୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ଏହାସହ ଏହି ଘଟଣାରେ ଫେରାର ଥିବା ୨ବେପାରୀଙ୍କୁ ପୁଲିସ ଧରିବା ପାଇଁ ଉଦ୍ୟମ ଚଳାଇଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରିୟବ୍ରତ ବାଲେଶ୍ୱରରୁ ବ୍ରାଉନସୁଗର ଆଣି ଖୋର୍ଦ୍ଧା ସମେତ ରାଜଧାନୀର ଖୁଚୁରା ବେପାରୀଙ୍କୁ ଯୋଗାଇ ଆସୁଥିଲା। ସେ ବୁଧବାର ପୂର୍ବାହ୍ଣରେ ଖୋର୍ଦ୍ଧା ଅଞ୍ଚଳରେ ୨ ନିଶା ବେପାରୀ ସଞ୍ଜୟ ପ୍ରଧାନ ଓରଫ ସଞ୍ଜୁ ଓ ଦୀପକ ସ୍ୱାଇଁ ଓରଫ ଦିପୁକୁ ବ୍ରାଉନସୁଗର ବିକ୍ରି କରିବା ପାଇଁ ଯାଇଥିଲା। ଏ ବାବଦରେ ଏସଟିଏଫ୍ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା।
ଏହାପରେ ଏସଟିଏଫ୍ ଟିମ୍ ସେଠାରେ ଅତର୍କିତ ଭାବେ ଚଢ଼ଉ କରିଥିଲେ। ଚଢାଉ ବେଳେ ସେମାନେ ପୁଲିସକୁ ଦେଖି ଖସି ପଳାଉଥିଲେ। ପୁଲିସ ସେମାନଙ୍କୁ ପିଛା କରିଥିଲା। ଖୋର୍ଦ୍ଧା ଟାଉନ ଓ ଆଖପାଖ ଗଳିକନ୍ଦି ଦେଇ ଅଭିଯୁକ୍ତମାନେ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ଶେଷରେ ଏସ୍ଟିଏଫ୍ ଟିମ୍ ଏନ୍କାଉଣ୍ଟର କରିବାର ଭୟ ଦେଖାଇଥିଲା। ଏପରିକି ମାଉଜର ଧରି ଗୋଡାଇବାରୁ ପ୍ରିୟବ୍ରତ ପୁଲିସ ହାତରେ ଧରାଦେଇଥିଲା। ହେଲେ ସଞ୍ଜୁ ଓ ଦିପୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କିନ୍ତୁ ସେଠାରୁ ବ୍ରାଉନସୁଗର ଡିଲର ପ୍ରିୟବ୍ରତ ଖସିପାରିନଥିଲା। ଏସଟିଏଫ୍୍ ପ୍ରିୟବ୍ରତକୁ ଯାଞ୍ଚ କରିବାରୁ ତା’ପାଖରୁ ବିପୁଳ ପରିମାଣର ବ୍ରାଉନସୁଗର ମିଳିଥିଲା। ଏହାପରେ ଏସଟିଏଫ୍ ଅଭିଯୁକ୍ତକୁ ଖୋର୍ଦ୍ଧା ଟାଉନ ଥାନା ହେପାଜତରେ ଦେଇଥିଲା। ପରେ ଅଭିଯୁକ୍ତ ଠାରୁ ବ୍ରାଉନସୁଗର ସମେତ ଏକ ପଲ୍ସର ବାଇକ ଜବତ ହୋଇଛି।