ଗିରିପୁଜା ଜଙ୍ଗଲରେ ଏସଟିଏଫ୍ ଚଢ଼ଉ: ବାଘ ଓ ହରିଣ ଛାଲ ଜବତ, ୨ ଗିରଫ

ନୟାଗଡ଼,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଗିରିପୁଜା ଜଙ୍ଗଲରେ ଏସଟିଏଫ୍ ଚଢ଼ଉ କରି ବାଘ ଛାଲ, ହରିଣ ଛାଲ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଦଶପଲ୍ଲା ବ୍ଲକର ସକିନ ଗ୍ରାମର ପ୍ରତାପ କୁମାର ନାୟକ ଓ ଦଶପଲ୍ଲା ବ୍ଲକ୍ ଦେଢ଼ଶୁରା ଗ୍ରାମର କିଶୋର ଚନ୍ଦ୍ର ଦେହୁରୀ। ଏହି ଚଢ଼ଉରେ ଦୁଇଟି ବାଛ ଛାଲ ଓ ଦୁଇଟି ହରିଣ ଛାଲ ସମେତ ଅପରାଧ ଭିତ୍ତିକ ସାମଗ୍ରୀ ଜବତ ହୋଇଛି।

ସୂଚନା ଅନୁସାରେ ଗିରିପୁଜା ଜଙ୍ଗଲରେ ବାଘ ଛାଲ ଓ ହରିଣ ଛାଲ ଚାଲାଣ ହେଉଥିବା ବେଳେ ଏସଟିଏଫ୍ କୌଣସି ସୂତ୍ରରୁ ଖବର ପାଇ ଅଚାନକ ଚଢ଼ଉ କରିଥିଲା। ଏହି ସମୟରେ ୨ ଅଭିଯୁକ୍ତଙ୍କୁ ବାଘ ଓ ହରିଣ ଛାଲ ସହିତ ଗିରଫ କରାଯାଇଛି। ତେବେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ କେସ୍ ନଂ-୧୮ ୦୮/୦୬ରେ ଧାରା-୩୭୯/୪୧୧/୧୨୦(ବି)ରେ ପ୍ରାଣୀସଂରକ୍ଷଣ ଆକ୍ଟ ୧୯୭୨ରେ କୋର୍ଟ ଚାଲାଣ କରାଯାଇଛି। ସେହିପରି ଜବତ ହୋଇଥିବା ବାଘ ଓ ହରିଣ ଛାଲକୁ ଭାରତୀୟ ପ୍ରାଣୀ ସଂଗଠନାଳୟକୁ ପଠାଇଦିଆଯାଇଛି।