ସଇଁନ୍ତଲା/ଦେଓଗାଁ,ଏନ୍ଏନ୍ଏସ୍: ହାତୀ ଦାନ୍ତ ତସ୍କରକୁ ଗିରଫ କଲା ଏସଟିଏଫ। ବଲାଙ୍ଗିର ଜିଲ୍ଲା ଗୁଡଭେଲା ଅଂଚଳରେ ହାତୀଦାନ୍ତ ତସ୍କରୀ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ଏସଟିଏଫ। ଟିମ ଗତକାଲି ସଂନ୍ଧ୍ୟା ୫ ଟା ୩୦ରେ ଗୁଡଭେଲା ଠାରେ ଚଢଉ କରି ନିମୁରସିଂହା ଗାଁର ବିପୁଲ ବାଗ ନାମକ ଜଣେ ବ୍ୟକ୍ତିକୁ କାବୁ କରିଥିଲା। ତା’ପାଖରୁ ଏକ ହାତୀଦାନ୍ତ ଜବତ କରିଛିଏସ.ଟି.ଏଫ। ଜବତ ହୋଇଥିବା ହାତୀଦାନ୍ତର ଓଜନ ପାଖାପାଖି ୯ କେଜି ଥିବାବେଳେ, ଲମ୍ୱ ୩୬.୫ ଇଞ୍ଚ ଏବଂ ଗୋଳେଇ ଏକ ଫୁଟ ବୋଲି ଜଣାପଡିଛି। ଏସ.ଟି.ଏଫ ଏବଂ ବଲାଙ୍ଗିର ଜଙ୍ଗଲ ବିଭାଗର ଟିମ, ହାତୀଦାନ୍ତ ତସ୍କରୀରେ ସାମିଲ ଥିବା ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ଜାଗାରେ ଚଢଉ ଜାରି ରଖିଛନ୍ତି। ବିପୁଲ ବାଗର ଗାଁ’ରେ ଚଢଉ କରି ସେଠାରୁ ମଧ୍ୟ ମଧୁ ଭୋଇକୁ ଉଠାଇ ନେଇଛି ଏସଟିଏଫ ଟିମ।
ସୂଚନାଯୋଗ୍ୟ ଜୋର ଦେଓଗାଁ ରେଞ୍ଜର ଗୁଡ଼ଭେଳା ଫରେଷ୍ଟ ସେକ୍ସନ ଅଞ୍ଚଳରେ ବନ୍ୟ ଜନ୍ତୁ ଶିକାର ବଢ଼ିବାରେ ଲାଗିଛି। ଫଳରେ ଏ ଅଞ୍ଚଳରେ ଶିକାରୀ ମାନେ ଡେରା ପକାଇ ରାଜ୍ୟ ବାହାରକୁ ହାତୀ ଦାନ୍ତକୁ ଚାଲାଣ କରୁଥିବାର ଅଭିଯୋଗ ହେଉଛି। ଏଣୁ ଦେଓଗାଁ ରେଞ୍ଜ ଅଞ୍ଚଳରେ ହେଉଥିବା ଚୋରା ଚାଲାଣ ଉପରେ ନଜର ରଖିଥିଲା ଏସଟିଏଫ ଟିମ।