ବ୍ଲାକ୍ ଫଙ୍ଗସ ପଛରେ ଷ୍ଟେରଏଡର ଦୁର୍ବ୍ୟବହାର: ଏମ୍ସ

ନୂଆଦିଲ୍ଲୀ,ଏଜେନ୍ସି: ଏମ୍ସ ମୁଖ୍ୟ ଡ. ରଣଦୀପ ଗୁଲେରିଆ ଆଜି ଏକ ପ୍ରେସ ବିବୃତ୍ତି କରି ବ୍ଲାକ୍ ଫଙ୍ଗସ ରୋଗ ବିଷୟରେ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି କି, ମ୍ୟୁକୋରମାଇକୋସିସ୍ ତଥା ବ୍ଲାକ୍ ଫଙ୍ଗସ୍ ରୋଗ ହଠାତ ଦେଶରେ ଦେଖା ଦେଇଛି। ତେବେ ଏହା ଖାସ କରି କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ଠାରେ ଦେଖିବାକୁ ମିଳୁଛି। ଏହି ବ୍ଲାକ୍ ଫଙ୍ଗସରେ ପୀଡ଼ିତ ୨୩ଟି ରୋଗୀ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଯେଉଁଥିରୁ ୨୦ ଜଣ କୋଭିଡ-୧୯ ସଂକ୍ରମିତ ଥିଲେ। ସେହିପରି ନିକଟରେ ଦେଶର କେତୋଟି ରାଜ୍ୟରୁ ୫୦୦ରୁ ଅଧିକ ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି।

ଏହି ରୋଗଟି ଶରୀରର ମୁହଁ, ନାକ, ଆଖି ଓ ମସ୍ତିସ୍କକୁ ସଂକ୍ରମିତ କରୁଛି। ପରେ ଏହା ଫୁସଫୁସକୁ ମଧ୍ୟ ସଂକ୍ରମିତ କରିଥାଏ। ଏହି ରୋଗ ମାଟି, ବାୟୁ ଓ ଖାଦ୍ୟରୁ ମଧ୍ୟ ସଂକ୍ରମିତ ହୋଇଥାଏ, ହେଲେ ଏହା ଦ୍ୱାରା ବ୍ୟାପିବାର ମାତ୍ରା ଖୁବ୍ କମ ବୋଲି ଗୁଲେରିଆ କହିଛନ୍ତି। ଖାସ କରି ବର୍ତ୍ତମାନ ସ୍ଥିତିରେ ଏହି ରୋଗ ବ୍ୟାପିବାର କାରଣ ହେଉଛି ଷ୍ଟେରଏଡ୍, କାରଣ କୋଭିଡ ଚିକିତ୍ସା କ୍ଷେତ୍ରରେ ଷ୍ଟେରଏଡର ବ୍ୟବହାର ହେଉଛି। ତେଣୁ ଷ୍ଟେରଏଡ଼ର ଦୁର୍ବ୍ୟବହାର ଯୋଗୁଁ ଏହି ରୋଗ ହେଉଥିବା ଗୁଲେରିଆ କହିଛନ୍ତି।