୧୦୨ ଦେଶରେ ରହିଛି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ବଲାଙ୍ଗିର,ଏନଏନଏସ: ବିଶ୍ୱର ୧୦୨ଟି ଦେଶରେ ମହାତ୍ମା ଗାନ୍ଧୀଙ୍କ ଏକ କିମ୍ବା ତାହା ଠାରୁ ଅଧିକ ପ୍ରତିମୂର୍ତ୍ତି ରହିଥିବା ସୂଚନା ଅଧିକାର ଆଇନ ଦ୍ୱାରା ଜଣାପଡିଛି । ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡା ଏ ସମ୍ପର୍କରେ ଭାରତ ସରକାରଙ୍କ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦକୁ ତଥ୍ୟ ମାଗିଥିଲେ । ପରିଷଦ ପ୍ରଦାନ କରିଥିବା ତଥ୍ୟରୁ ଏହା ଜଣା ପଡିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ପରିଷଦ ପ୍ରଦାନ କରିଥିବା ତଥ୍ୟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରହିଥିବା ସମୂଦାୟ ୧୦୨ ଦେଶ ମଧ୍ୟରୁ ୮୨ଟି ଦେଶରେ ପୂର୍ଣାବୟବ ପ୍ରତିମୂର୍ତ୍ତି ରହିଥିବାବେଳେ ୨୦ଟି ଦେଶରେ ଅର୍ଦ୍ଧାବୟବ ପ୍ରତିମୂର୍ତ୍ତି ରହିଛି । ସୂଚନାଯୋଗ୍ୟ ଯେ, ଶ୍ରୀ ପଣ୍ଡା ଭାରତ ସରକାରଙ୍କ ବୈଦେଶିକ ବିଭାଗକୁ ଏହି ତଥ୍ୟ ମାଗିଥିଲେ। କିନ୍ତୁ ସୂଚନା ଅଧିକାର ଆଇନର ୬(୩) ଧାରା ଅନୁଯାୟୀ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ତଥ୍ୟ ପ୍ରଦାନ କରିଛି।

ତେବେ କେତୋଟି ଦେଶର ମୁଦ୍ରା ଏବଂ ଡାକଟିକଟରେ ଗାନ୍ଧୀଙ୍କ ଫଟୋ ରହିଛି ବୋଲି ମଧ୍ୟ ଶ୍ରୀ ପଣ୍ଡା ତଥ୍ୟ ମାଗିଥିଲେ । ହେଲେ ସେ ତଥ୍ୟ ପ୍ରଦାନ କରାଯାଇନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ବିଶ୍ୱର ବିଭିନ୍ନ ଦେଶରେ ରହିଥିବା ମହାମାନବ ମାନଙ୍କର ପ୍ରତିମୂର୍ତ୍ତି ସଂଖ୍ୟା ମଧ୍ୟରେ ଗାନ୍ଧୀ ସର୍ବାଗ୍ରେ ରହିଛନ୍ତି ବୋଲି ସୂଚନା କର୍ମି ପଣ୍ଡା ତଥ୍ୟକୁ ଅନୁଧ୍ୟାନ କରି କହିଛନ୍ତି।