କରୋନା ଚିକିତ୍ସା ରାଜ୍ୟ ସରକାର ଯୋଗାଇବେ ସଂପୂର୍ଣ୍ଣ ମାଗଣା : ସୁବ୍ରତ ବାଗଚୀ

ଭୁବନେଶ୍ୱର : କରୋନା ଭାଇରସ ବା କୋଭିଡ୍‌-୧୯ର ମୁକାବିଲା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏକାଧିକ କୋଭିଡ୍‌ ୧୯ ହସ୍ପିଟାଲ ନିର୍ମାଣ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ଘରୋଇ ଅନୁଷ୍ଠାନ ସହ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି । ରାଜ୍ୟ ସରକାରଙ୍କର ଏହି ପଦକ୍ଷେପକୁ କେନ୍ଦ୍ର ଠାରୁ ଆରମ୍ଭ କରି ଅନ୍ୟ ରାଜ୍ୟ ସରକାରମାନେ ମଧ୍ୟ ପ୍ରଶଂସା କରିଛନ୍ତି ।

ଏଥିସହ ରାଜ୍ୟ ସରକାର ଏହି ସମସ୍ତ କୋଭିଡ୍‌ ୧୯ ବା କରୋନା ହସ୍ପିଟାଲରେ ଚିକିତ୍ସିତ ହେବାକୁ ଥିବା ରୋଗୀମାନଙ୍କୁ ସଂପୂର୍ଣ୍ଣ ମାଗଣା ସେବା ଯୋଗାଇ ଦେବେ । ରୋଗୀମାନଙ୍କ ଚିକିତ୍ସାଠାରୁ ଆରମ୍ଭ କରି ସେମାନଙ୍କର ରହିବା ଓ ଖାଇବା ବାବଦରେ ସେମାନଙ୍କୁ କୌଣସି ପ୍ରକାରର ସାମାନ୍ୟତମ ଦେୟ ବି ଦେବାକୁ ପଡ଼ିବ ନାହିଁ । ସବୁ ଖର୍ଚ୍ଚ ବହନ କରିବେ ଖୋଦ୍‌ ରାଜ୍ୟ ସରକାର। ତେବେ, ରାଜ୍ୟ ସରକାର ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ଯେ ଏହି କୋଭିଡ୍‌ ବା କରୋନା ହସ୍ପିଟାଲକୁ କାହାକୁ ବି ଆସିବାକୁ ନ ପଡ଼ୁ । ଆଉ ପରିବର୍ତ୍ତିତ ପରିସ୍ଥିତିରେ ଯଦି ବି ଆସିବାକୁ ପଡ଼ିଲା, ତେବେ ସେଥିପାଇଁ ଭୟଭୀତ ହୁଅନ୍ତୁ ନାହିଁ ।

କାରଣ, ଆପଣଙ୍କୁ ରୋଗମୁକ୍ତ କରାଇ ଆରୋଗ୍ୟ କରାଇବା ହେଉଛି ରାଜ୍ୟ ସରକାରଙ୍କର ସର୍ବୋଚ୍ଚ ତଥା ଏକମାତ୍ର ପ୍ରାଥମିକତା । ତେଣୁ, ଆଦୌ ବ୍ୟସ୍ତ ନ ହୋଇ ଯଦି ରୋଗର କୌଣସି ପ୍ରକାରର ଲକ୍ଷଣ ବା ଉପସର୍ଗ ଆପଣଙ୍କ ଠାରେ ଦେଖା ଦେଉଛି ତେବେ ସଙ୍ଗେ ସଙ୍ଗେ ହେଲପଲାଇନ୍‌ ନମ୍ବରରେ ଜଣାନ୍ତୁ । ଅନ୍ୟମାନଙ୍କୁ ବିପଦରେ ପଡ଼ିବାରୁ ବଞ୍ଚାନ୍ତୁ ବୋଲି ଆଜି ରାଜ୍ୟ ସରକାରଙ୍କର କୋଭିଡ୍‌ ୧୯ର ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।