୬ରୁ କଟକରେ ୨୫ତମ ଆନ୍ତଃଜିଲ୍ଲା ଓ ରାଜ୍ୟ ଟେବୁଲ ଟେନିସ୍ ଚାମ୍ପିଅନଶିପ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏସନ ଆନୁକୂଲ୍ୟରେ କଟକର ଜବାହରଲାଲ ଇନଡୋର ଷ୍ଟାଡିୟମରେ ୨୫ତମ ଆନ୍ତଃଜିଲ୍ଲା ଓ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍ ଚମ୍ପିଆନସିପ-୨୦୧୯ ଆୟୋଜନ ହେବାକୁ ଯାଉଛି। ଚଳିତବର୍ଷ ଏହି ଟୁର୍ଣ୍ଣାମେଂଟ ତା’ର ରୌପ୍ୟଜୟନ୍ତୀ ବର୍ଷରେ ପଦାର୍ପଣ କରିଛି। ଏହି ଟୁର୍ଣ୍ଣାମେଂଟ ନଭେମ୍ବର ୬ରୁ ୯ ପର୍ଯ୍ୟନ୍ତ ୪ଦିନ ଧରି ଆୟୋଜନ ହେବ। ଏହି ଟୁର୍ଣ୍ଣାମେଂଟ ୬ ତାରିଖ ପୂର୍ବାହ୍ନରେ ଆରମ୍ଭ ହୋଇ ନଭେମ୍ବର ୯ ସନ୍ଧ୍ୟାରେ ଉଦଯାପିତ ହେବ। ଏହି ଟୁର୍ଣ୍ଣାମେଂଟର ପ୍ରଦର୍ଶନକୁ ବିଭିନ୍ନ ଜାତୀୟ ଦଳ ମନୋନୟନ ବେଳେ ବିଚାରକୁ ନିଆଯିବ।

ଏହି ପ୍ରତିଯୋଗିତାରେ ମୋଟ ୧୫ଟି ଇଭେଂଟ ଖେଳାଯିବ। ସିନିୟର ପୁରୁଷ ଓ ଜୁନିୟର ବାଳକ ବିଭାଗରେ ଦଳଗତ ପ୍ରତିଯୋଗିତା(ଟିମ୍ ଚମ୍ପିଆନସିପ) ଅନୁଷ୍ଠିତ ହେବ। ଏହାଛଡ଼ା ଉଭୟ ପୁରୁଷ ଓ ମହିଳା ସିଙ୍ଗଲସ, ୟୁଥ ବାଳକ ସିଙ୍ଗଲସ, ଜୁନିୟର ବାଳକ ଓ ବାଳିକା ସିଙ୍ଗଲସ, ୟୁଥ ବାଳକ ସିଙ୍ଗଲସ, ଜୁନିୟର ବାଳକ ଓ ବାଳିକା ସିଙ୍ଗଲସ, ସବ ଜୁନିୟର ବାଳକ ଓ ବାଳିକା ସିଙ୍ଗଲସ, ସବଜୁନିୟର ବାଳକ ଓ ବାଳିକା ସିଙ୍ଗଲସ ଏବଂ କ୍ୟାଡେଟ୍ ବାଳକ ଓ ବାଳିକା ସିଙ୍ଗଲସ ଇଭେଂଟ ଖେଳଯିବ। କେବଳ ଜୁନିୟର ବାଳକ ବିଭାଗରେ ଡବଲସ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ଭେଟେରାନ ଖେଳାଳିଙ୍କ ୪୦ରୁ ଉଦ୍ଧ୍ୱର୍, ୫୦ରୁ ଉଦ୍ଧ୍ୱର୍ ଓ ୬୦ରୁ ଉଦ୍ଧ୍ୱର୍ ବୟସ ବର୍ଗରେ ସିଙ୍ଗଲସ ଓ ଡବଲସ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ। କୃତୀ ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ଟ୍ରଫି ସହ ଅର୍ଥ ପୁରସ୍କାର ପ୍ରଦାନ କରାଯିବ। ପ୍ରତିଯୋଗିତାରେ ସାରା ରାଜ୍ୟରୁ ୬ଶହରୁ ଅଧିକ ପ୍ରତିଯୋଗୀ ଭାଗନେବାର ସମ୍ଭାବନା ରହିଛି।

ଓଡ଼ିଶାର ଯେକୌଣସି ଜିଲ୍ଲା ଓ ଅନୁଷ୍ଠାନର ଖେଳାଳୀ ଏଥିରେ ଭାଗ ନେଇପାରିବେ। ଏଥିପାଇଁ ସେମାନେ ଜିଲ୍ଲା ଆସୋସିଏସନ କିମ୍ବା ବ୍ୟକ୍ତିଗତ ଭାବେ ଶେଷ ତାରିଖ ନଭେମ୍ବର ୩ ସୁଦ୍ଧା ସେମାନଙ୍କ ନାମ ପଞ୍ଜୀକୃତ କରିପାରିବେ। ଯୋଗାଯୋଗ କରିବାର ଠିକଣା ହେଲା- ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍ ଆସୋସିଏସନ, ବାରବାଟୀ ଷ୍ଟାଡିୟମ, କଟକ। ଫୋନ୍ ନଂ. (୦୬୭୧) ୨୩୦୩୦୬୦ରେ ଖେଳାଳୀ ଏବଂ ସଂଗଠନ ସେମାନଙ୍କ ନାମ ପଠାଇ ପାରିବେ।