ଭୁବନେଶ୍ୱର,ଏନ୍ଏନ୍ଏସ୍: ବହୁ ପ୍ରତୀକ୍ଷିତ ପଞ୍ଚାୟତ ନିର୍ବାଚନ ପାଇଁ ହୋଇଥିବା ମତଦାନର ଭୋଟ ବାକ୍ସ ଗୁଡ଼ିକ ଆଜିଠାରୁ ପର୍ଯ୍ୟାୟ କ୍ରମେ ଖୋଲିବ। ଗତ ୧୬ ତାରିଖ ଠାରୁ ୫ଟି ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ମତଦନା ୨୪ ତାରିଖରେ ଶେଷ ହୋଇଥିବା ବେଳେ ନେତାମାଙ୍କର ଭାଗ୍ୟ ଭୋଟ ବାକ୍ସ ଭିତରେ ବନ୍ଦ ରହିଛି। ଆଜିଠାରୁ ଏହା ଖୋଲିବ। ରାଜ୍ୟର ୨ ଲକ୍ଷ ୨୦ ହଜାର ଦେଇଥିବା ନିଜର ରାୟ ପ୍ରକାଶ ପାଇବା ପରେ ସେମାନଙ୍କର ନେତା କିଏ ହେବେ ତାହା ସ୍ପଷ୍ଟ ହୋଇଯିବ।
ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ, ଆଜି ୩୧୫ଟି ଜିଲ୍ଲା ପରିଷଦ ଜୋନ୍ରେ ଭୋଟ ଗଣତି ହେବ। ସେହିପରି ୨୭ ତାରିଖରେ ୩୦୭ଟି ଓ ୨୮ ତାରିଖରେ ୨୨୯ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି ହେବ। ମୋଟାମୋଟି ଭାବେ କହିବାକୁ ଗଲେ ୨୯ ତାରିଖ ପୂର୍ବରୁ ୯୧ ହଜାର ୮୯୦ ୱାର୍ଡମେମ୍ବର ପଦବି, ୬୭୯୩ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୮୫୧ ଜିଲ୍ଲା ପରିଷଦ ଜୋନର ବିଜେତା ୨୮ ତାରିଖ ଦିନ ଜଣାପଡ଼ିବ।
ଜିଲ୍ଲା ପରିଷଦ ଜୋନ ହିସାବରେ ଭୋଟ ଗଣତି ହେବ। ଏହା ପୁଣି ଓଡ଼ିଆ ବର୍ଣ୍ଣମାଳା ଅନୁସାରେ ଟେବୁଲ ରଖାଯିବ। ଗୋଟିଏ ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ୨ ଜଣ ଆସିଷ୍ଟାଣ୍ଟ କାଉଣ୍ଟିଂ ଅଫିସର ଏବଂ ଜଣେ ଗ୍ରୁପ-ଡି କର୍ମଚାରୀ ଉପସ୍ଥିତ ରହିବେ। ଭୋଟ ଗଣତି ସମୟରେ ପ୍ରତି ପ୍ରାର୍ଥୀଙ୍କର ଜଣେ ଲେଖାଏଁ ଏଜେଣ୍ଟ ଉପସ୍ଥିତ ରହିବେ। ଭୋଟ ଗଣତି କେନ୍ଦ୍ରକୁ କୌଣସି ବୈଦ୍ୟୁତିକ ମାଧ୍ୟମ ତଥା ସାମଗ୍ରୀ ଯଥା ମୋବାଇଲ ଫୋନ୍, ସ୍ପାଏ ପେନ୍ ଆଦି ନିଆଯାଇପାରିବ ନାହିଁ। ନିର୍ବାଚନ ଅଧିକାରୀମାନେ ଭୋଟଗଣତି ସଂପର୍କିତ ତଥ୍ୟ ୱେବସାଇଟ୍ ମାଧ୍ୟମରେ ଜଣାଇବେ।
ଅନ୍ୟପଟରେ ନିର୍ବାଚନ ଫଳାଫଳ ବାହାରିବା ପାଇଁ ସମୟ ଯେତିକି ପାଖେଇ ଆସୁଛି। ନେତାମାନଙ୍କର ହୃଦସ୍ପନ୍ଦନ ସେତିକି ବଢ଼ିଯାଇଛି। ପୂର୍ବରୁ ମତଦାନ ସରିଲା ପରେ ଫଳାଫଳ ଘୋଷଣା ହୋଇଯାଉଥିଲା। କିନ୍ତୁ ଏଥର ନିୟମରେ ପରିବର୍ତ୍ତନ ଅଣାଯାଇଥିବାରୁ ନେତାମାନଙ୍କର ଉତ୍କଣ୍ଠା ବଢ଼ିଛି।