ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାର ଇତିହାସ ଓ ଐତିହ୍ୟ ବେଶ୍ ସମୃଦ୍ଧ। ଏହା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଭବିଷ୍ୟତର ପଥ ନକ୍ସା ପ୍ରସ୍ତୁତିରେ ଅତୀତର ବିଶେଷ ଭୂମିକା ରହିଛି। କାଳଜୟୀ ସଂସ୍କୃତି ଓ ପରମ୍ପରା ଆମ ଅସ୍ମିତା ଓ ପରିଚୟର ପ୍ରମୁଖ ଉପାଦାନ। ଏହାର ସଂରକ୍ଷଣ, ସୁରକ୍ଷା, ବ୍ୟାଖ୍ୟାନ ଓ ବିଶ୍ଳେଷଣ ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି।
ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି ଯେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପହାର। ପ୍ରତ୍ୟେକଟି ମୁହୂର୍ତ୍ତ ଅନନ୍ତ ସମ୍ଭାବନାର ଆଧାର: ଏହାକୁ ପ୍ରତ୍ୟେକ ମର୍ମେ ମର୍ମେ ଅନୁଭବ କରି ଆଗକୁ ଯିବା ପାଇଁ ଅନୁପ୍ରେରିତ ହେବା ଦରକାର। ସେ କହିଲେ ଯେ ଉତ୍କର୍ଷର ଅନ୍ୟ ନାମ ହେଉଛି ଉତ୍କଳ। ସୃଜନ ଓ କଳା କ୍ଷେତ୍ରରେ ଉତ୍କଳ ସାରା ବିଶ୍ୱରେ ପ୍ରତିଷ୍ଠିତ। ଏହି ଉତ୍କର୍ଷର ପରମ୍ପରା ଅବ୍ୟାହତ ରଖିବା ଆମର ଦାୟିତ୍ୱ। ସଂପ୍ରତି ରାଜ୍ୟ ସରକାର ଯେଭଳି ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ମନ୍ଦିର, ଶ୍ରୀକ୍ଷେତ୍ର, ଏକାମ୍ର କ୍ଷେତ୍ରର ବିକାଶ ପାଇଁ କାର୍ଯ୍ୟକ୍ରମ କରୁଛନ୍ତି ତାହା ଅଭିନନ୍ଦନୀୟ।
ଓଡ଼ିଶା ନିଶ୍ଚୟ ସାରା ପୃଥିବୀର ଆକର୍ଷଣର କେନ୍ଦ୍ର ହୋଇପାରିବ। ସେ ମଧ୍ୟ ଓଡ଼ିଶା ସଂଗ୍ରହାୟଳୟର ଉତ୍ତରତୋର ଉନ୍ନତି କାମନା କରିଥିଲେ। କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଇତିହାସର ପୃଷ୍ଠାକୁ ଦେଖିବାକୁ ଚାହିଁଲେ ସଂଗ୍ରହାଳୟକୁ ଦେଖିବାକୁ ପଡିବ। ରାଜ୍ୟ ସଂଗ୍ରହାଳୟ ସହିତ ଆମର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଯୋଡି ହୋଇ ରହିଛି ବୋଲି କହିବା ସହ ଏହାକୁ ପ୍ରତ୍ୟେକ ନାଗରିକଙ୍କ ପାଇଁ ତୀର୍ଥଭୂମି ବୋଲି ଅଭିହିତ କରିଥିଲେ। ଆମର ଅସ୍ମିତା ଓ ସ୍ୱାଭିମାନର ମୂକସାକ୍ଷୀ ଭାବରେ ରାଜ୍ୟ ସହଗ୍ରହାଳୟର ଭୂମିକା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଦର୍ଶାଇଥିଲେ।
ଏଥିରେ ବିଭାଗୀୟ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଯୋଗ ଦେଇ କହିଲେ, ସଂଗ୍ରହାଳୟ ଏକ ଜାତିର ସଂସ୍କୃତି, ଇତିହାସ ଓ ପ୍ରତ୍ନତତ୍ତ୍ୱର ଇତିହାସ ବହନ କରେ। ଯେକୌଣସି ଦେଶ ଗଲେ, ପ୍ରଥମେ ମ୍ୟୁଜିୟମ୍ ଦେଖିବାକୁ ମିଳିବ। ମ୍ୟୁଜିୟମ୍ରୁ ସେହି ଜାତିର ଇତିହାସ କେତେ ସୁଦୃଢ, କେତେ ଉଚ୍ଚତର, କ’ଣ ଇତିହାସ ସୂଚାଉଛି ଜାଣିହେବ। ପୃଥିବୀର ସବୁଠାରୁ ଅଧିକ ତାଳପତ୍ର ପୋଥି ରାଜ୍ୟ ସଂଗ୍ରହାଳୟରେ ରହିଛି, ଯାହା ଏହି ସଂଗ୍ରହାଳୟର ସ୍ୱତନ୍ତ୍ରତା। ତାହାକୁ ଡିଜିଟାଇଜ୍ କରାଯାଇଛି। ସଂଗ୍ରହାଳୟରେ ଆଜି ଏକ ହର୍ବାଲ କର୍ଣ୍ଣର ଉଦ୍ଘାଟିତ ହୋଇଥିବାବେଳେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ “ପୋଷ୍ଟାଲ୍ ହେରିଟେଜ୍ ଅଫ୍ ଓଡ଼ିଶା ଗ୍ୟାଲେରୀ’ ମଧ୍ୟ ଉଦ୍ଘାଟିତ ହୋଇଥିଲା।
ଏହା ସହିତ ଏକ ପଠନ ଗୃହ ଓ ଅଚ୍ୟୁତରାଜପୁରର ବୌଦ୍ଧ ବ୍ରୋଞ୍ଜ ସ୍ଥାପତ୍ୟ ଗ୍ୟାଲେରୀ ଲୋକାର୍ପିତ ହୋଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା ହିଷ୍ଟୋରିକାଲ୍ ରିସର୍ଚ୍ଚ ଜର୍ଣ୍ଣାଲ୍ର ନୂତନ ସଂଖ୍ୟା, ବିଶିଷ୍ଟ ଐତିହାସିକ ଡ. ସତ୍ୟନାରାୟଣ ରାଜଗୁରୁଙ୍କ କୃତିତ୍ୱ ଆଧାରିତ ଇଂରାଜୀ ପୁସ୍ତକ, ଡାକ ବିଭାଗ, ଓଡ଼ିଶା ସର୍କଲ ଦ୍ୱାରା ନୂତନ ଲଫାପା ଏବଂ ମଥୁରାନାଥ ଦାସଙ୍କ ସଂପାଦିତ ପଣ୍ଡିତ ନୀଳକଣ୍ଠ ଦାସଙ୍କ ବକ୍ତୃତାମାଳା ସଂକଳନ କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଥିଲା। ଏହାସହିତ ‘ଭଞ୍ଜସ୍ ଅଫ୍ ଖିଞ୍ଜଳି ମଣ୍ଡଳ’ ଉନ୍ମୋଚିତ ହୋଇଥିଲା।
ଉତ୍କଳରତ୍ନ ବାରିଷ୍ଟର ବିଶ୍ୱନାଥ ମିଶ୍ରଙ୍କ ଏକ ତୈଳଚିତ୍ର ମଧ୍ୟ ଉନ୍ମୋଚିତ ହୋଇଥିଲା। ରାଜ୍ୟ ସଂଗ୍ରହାଳୟର ଅବସରପ୍ରାପ୍ତ କର୍ମ·ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମହାଡାକପାଳ ସନ୍ତୋଷ କମିଲା, ବିଭାଗର ଅତିରିକ୍ତ ସଚିବ ତଥା ନିର୍ଦ୍ଦେଶକ ବିଜୟ କୁମାର ନାୟକ ଓ ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏଥିରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଡ. ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ।