ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ, ରାଉଲକେଲାରେ ହେବ ଭିଜିଲାନ୍ସ ଡିଭିଜନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଶୁକ୍ରବାର ଭୁବନେଶ୍ୱର ସ୍ଥିତ ରବିନ୍ଦ୍ରମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଏହି ସଚେତନତା କାର୍ଯ୍ୟକ୍ରମରେ ଅନେକ ସ୍କୁଲ ଓ କଲେଜ ସାମିଲ ହୋଇଥିବାରୁ ମୁଁ ବହୁତ ଖୁସି। ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ଆମର ଲକ୍ଷ୍ୟକୁ ହାସଲ କରିବା ତଥା ଲୋକଙ୍କୁ ସୁବିଧା ସୁଯୋଗ ଯେ।ଗାଇଦେବା ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ଆହୁରି କହିଥିଲେ ଯେ ଦୁର୍ନୀତି ଲୋକ ତଥା ରାଜ୍ୟର ବିକାଶରେ ବାଧା ସୃଷ୍ଟି କରେ। ଏହା ଗଣତନ୍ତ୍ରର ମୂଳଦୁଆ ଓ ଜନତାଙ୍କ ଆଶା ଓ ବିଶ୍ୱାସକୁ ଆଘାତ ଦେଇଥାଏ । ସେଥିପାଇଁ କୌଣସି ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ରାଉଲକେଲାରେ ନୂଆ ଭିଜିଲାନ୍ସ ଡିଭିଜନ୍ ହେବା ନେଇ ଅନୁମୋଦନ ହୋଇଛି। ଭୁବନେଶ୍ୱର ସ୍ଥିତ ରାଜ୍ୟ ଭିଜିଲାନ୍ସ କାର୍ଯ୍ୟାଳୟରେ ଭିଜିଲାନ୍ସ ଅଧିକାରୀଙ୍କୁ ଗୁଣାତ୍ମକ ଜ୍ଞାନକୌଶଳ ଦିଆଯିବା ଲାଗି ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିଜିଲାନ୍ସ ଅଧିକାରୀଙ୍କୁ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ କରିଥିଲେ। ଡକ୍ଟର ସାର୍ଥକ ଷଡଙ୍ଗୀଙ୍କୁ ରାଜ୍ୟର ଶ୍ରେଷ୍ଠ ଭିଜିଲାନ୍ସ ଡିଭିଜନ୍ ପୁରସ୍କାର ଦିଆଯାଇଛି। ସେହିପରି ସଦାନନ୍ଦ ପାଣିଙ୍କୁ ରାଜ୍ୟ ଶ୍ରେଷ୍ଠ ଭିଜଲାନ୍ସ ତଦନ୍ତକାରୀ ଅଧିକାରୀ, ଅନସୂୟା ସେନାପତିଙ୍କୁ ରାଜ୍ୟ ଶ୍ରେଷ୍ଠ ମହିଳା ଭିଜଲାନ୍ସ ତଦନ୍ତକାରୀ ଅଧିକାରୀ ଓ ହେମନ୍ତ କୁମାର ସ୍ୱାଇଁଙ୍କୁ ରାଜ୍ୟ ଶ୍ରେଷ୍ଠ ଭିଜିଲାନ୍ସ ପବ୍ଲିକ୍ ପ୍ରସିକ୍ୟୁଟର ଭାବେ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ।