ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ, ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ସାଧାରଣତନ୍ତ୍ର ଦିବସ। ରାଜଧାନୀରେ ଆୟୋଜନ ହୋଇଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପରେଡ୍ ସ୍ଥଳରେ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କାର୍ଯ୍ୟକ୍ରମରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଆୟୋଜିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଏହା ପରେ ପରେଡ ଆରମ୍ଭ ହୋଇଛି। ଏଥର କୋଭିଡ କଟକଣା ଭିତରେ ହୋଇଛି ପରେଡ ଉତ୍ସବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି। ପରେଡ ସ୍ଥଳରେ ଚାରିପଟ ଓ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିଛି। ସେହିପରି ଟ୍ରାଫିକ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରବୀନ୍ଦ୍ର ମଣ୍ଡପ, ଆଇଜି ପାର୍କ ପଟୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ପରେଡସ୍ଥଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରାଯାଇଛି।