ଆଗକୁ କମିବ ଥଣ୍ଡା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ଦୁଇଦିନ ମଧ୍ୟରେ ରାଜ୍ୟରେ ୪- ୬ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମାତ୍ର ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଏବେ ବିଶେଷ ଥଣ୍ଡା ହେବାର ସମ୍ଭାବନା ନଥିବା ବେଳେ ଆଗକୁ ଥଣ୍ଡା ଆହୁରି କମିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଥିବା କାରଣରୁ ଥଣ୍ଡା କମିଛି। ସୁନ୍ଦରଗଡ଼ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ସେଲସିୟସ ରହିଥିବା ବେଳେ ସୋନପୁରରେ ରାତିର ତାପମାତ୍ରା ୧୧.୬ ଡିଗ୍ରୀ ସେଲସିୟସ ରହିଛି। ତେବେ ଏହି ତାପମାତ୍ରାରେ ପରିବର୍ତ୍ତନ ହେବା ସହିତ ଆସନ୍ତା ୨ ଦିନ ମଧ୍ୟରେ କ୍ରମାଗତଭାବେ ୪- ୬ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବ। ସେହିପରି ଏହି ସମୟରେ କୁହୁଡ଼ିର ପରିମାଣ ମଧ୍ୟ ବୃଦ୍ଧି ପାଇବା ସହ ଶୀତଅନୁଭୂତ ହେବ। ଶନିବାର ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ସୋନପୁର, ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେବାକୁ ଥିବାବେଳେ ଏହି ସବୁ ଜିଲ୍ଲା ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ରବିବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗିର, ଅନୁଗୁଳ, କଳାହାଣ୍ଡି, କନ୍ଧମାଳ କୋରାପୁଟ ଜିଲ୍ଲାରେ ଅଧିକ ଶୀତଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ଅନୁଯାୟୀ ଭୁବନେଶ୍ୱର ସମେତ ସମଗ୍ର ଦକ୍ଷିଣ ଉପକୂଳ ଓ ଏହାର ସଂଲଗ୍ନ ଅଞ୍ଚଳରେ ଆସନ୍ତା ୧୨ ତାରିଖ ସୁଦ୍ଧା ରାତିର ସର୍ବନିମ୍ନ ତାପମାତ୍ରା ପ୍ରାୟ ଦେଢ଼ ଡିଗ୍ରୀ ସେଲସିୟସ କମିବ। ଏହାଦ୍ୱାରା ଥଣ୍ଡା ସାମାନ୍ୟ ବୃଦ୍ଧି ପାଇବ। ତେବେ ୧୩ ଓ ୧୪ ତାରିଖରେ ତାପମାତ୍ରା ବୃଦ୍ଧି ଯୋଗୁଁ ଥଣ୍ଡା କମିଯିବ। ଏହା ୧୮ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବା ସହିତ ଦିନର ସର୍ବାଧିକ ତାପମାତ୍ରା ୧୧ ତାରିଖରୁ କ୍ରମଶଃ ବୃଦ୍ଧି ପାଇବ। ୧୫ ତାରିଖ ସୁଦ୍ଧା ଏହି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାକୁ ଥିବା ବେଳେ ରାଜ୍ୟର ସବୁ ଅଞ୍ଚଳରେ ୧୨ ତାରିଖରୁ ରାତିର ସର୍ବନିମ୍ନ ତାପମାତ୍ରା କ୍ରମଶଃ ବଢ଼ିବ। ୧୫ ତାରିଖ ସୁଦ୍ଧା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାକୁ ଥିବା ବେଳେ ସୁନ୍ଦରଗଡ଼ ସମେତ ଉତ୍ତର ପଶ୍ଚିମ ଓଡ଼ିଶାରେ ପ୍ରାୟ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଏହା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ସର୍ବାଧିକ ତାପମାତ୍ରା କ୍ରମଶଃ ୬- ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏଥିପାଇଁ ସାରା ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବା ସହ ୧୯ ତାରିଖ ପରେ ଏଥିରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ସାଧାରଣତଃ ଏହି ସମୟରେ ଉତ୍ତର ଥଣ୍ଡା ପବନ ରାଜ୍ୟକୁ ବହିଥାଏ। ତେଣୁ ଶୀତର ପ୍ରକୋପ ବଢ଼ିଥାଏ। କିନ୍ତୁ ଚଳିତ ବର୍ଷ ବାୟୁ ପ୍ରବାହରେ ସ୍ଥିରତା ରହୁନଥିବା କାରଣରୁ ଦିନେ ଦୁଇଦିନ ଉତ୍ତର ପବନ  ବୋହି କେତେବେଳେ ବଙ୍ଗୋପସାଗରୀୟ ଓ କେତେବେଳେ ଆରବସାଗରୀୟ ପବନ ବୋହୁଛି। ସେହିପରି ବେଳେ ବେଳେ ଘୂର୍ଣ୍ଣିବଳୟ ମଧ୍ୟ ସୃଷ୍ଟି ହେଉଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ପାଣିପାଗରେ ହଠାତ୍‌ ପରିବର୍ତ୍ତନ ହେଉଥିବାରୁ ଉଚିତ୍ ସମୟରେ ଉଚିତ୍ ପାଗ ରହୁନଥିବା ବେଳେ ପାଣିପାଗ ଆକଳନ କରିବା ମଧ୍ୟ କଷ୍ଟ ସାଧ୍ୟ ହେଉଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।