ରାଜ୍ୟରେ ୫ ମାସ ପାଇଁ ଔଷଧ ଓ ଉପକରଣ ରହିଛି

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ମୁକାବିଲା ପାଇଁ ୯ମାସର ଆବଶ୍ୟକ ଔଷଧ ଓ ଚିକିତ୍ସା ଉପକରଣ ରାଜ୍ୟ ସରକାର ପ୍ରସ୍ତୁତ ରଖିଛନ୍ତି। ଏବେ ସରକାରଙ୍କ ପାଖରେ ୫ ମାସ ପାଇଁ ଆବଶ୍ୟକ ଔଷଧ ସାମଗ୍ରୀ ଉପଲବ୍ଧ ଥିବାବେଳେ ଆଉ ୪ ମାସ ନିମନ୍ତେ ଔଷଧ ଓ ଚିକିତ୍ସା ଉପକରଣ ଆସନ୍ତାମାସ ଶେଷ ସୁଦ୍ଧା ମିଳିଯିବ ବୋଲି ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ କହିଛନ୍ତି।

ସେ କହିଛନ୍ତି ଯେ କୋଭିଡ-୧୯’ ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ସ୍ୱତନ୍ତ୍ର ଭାବେ ୬୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଓଡ଼ିଶା ଔଷଧ ନିଗମ ମାଧ୍ୟମରେ ଆବଶ୍ୟକ ପରିମାଣର ଔଷଧ ଓ ଚିକିତ୍ସା ଉପକରଣ କ୍ରୟ କରାଯାଇଛି। ଆସନ୍ତା ୫ ମାସ ପାଇଁ ରାଜ୍ୟରେ ଯଥେଷ୍ଟ ପରିମାଣରେ ଅତ୍ୟାବଶକ ଔଷଧ ମହଜୁଦ ରହିଛି। ଆଣ୍ଟିବାୟୋଟିକ୍ସ, ଆନାଲ୍ଜେସିକ୍ସ ଓ ଆଣ୍ଟିଇନଫ୍ଲାମେଟାରୀ ଉପଲବ୍ଧ ରହିଛି। ଏହା ବ୍ୟତୀତ ଯଥେଷ୍ଟ ପରିମାଣର ତିନିପରସ୍ତ ସର୍ଜିକାଲ ମାସ୍କ, ଏନ୍-୯୫, ହ୍ୟାଣ୍ଟ ସାନିଟାଇଜର ଓ ବ୍ୟକ୍ତିଗତ ସୁରକ୍ଷା ଉପକରଣ ମହଜୁଦ ରହିଛି। ଅନୁରୂପ ଭାବରେ ଆଇସିୟୁ ଭେଣ୍ଟିଲେଟର, ଅକ୍ସିଜେନ୍ କନସେନଟ୍ରେଟର୍ସ ଓ ନେବୁଲାଇଜର ମଧ୍ୟ ଉପଲବ୍ଧ ରହିଛି।

ରାଜ୍ୟରେ ଆଉ ୪ମାସ ପାଇଁ ଔଷଧ ଆମଦାନୀ ନିମନ୍ତେ ଆଦେଶ ଦିଆଯାଇଛି। ରାଜ୍ୟରେ ଥିବା ସମସ୍ତ ସରକାରୀ ମେଡିକାଲ କଲେଜଠୁ ଆରମ୍ଭ କରି ପିଏଚସ୍ି ଓ ସବସେଣ୍ଟରକୁ ଔଷଧ ଓ ଚିକିତ୍ସା ଉପକରଣ ଯୋଗାଇ ଦିଆଯାଉଛି। ରାଜ୍ୟର ୬୭୯୮ ଗ୍ରାମ ପଞ୍ଚାୟତରେ ୭୦୨୦ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି। ସେଠାରେ ୧ଲକ୍ଷ ୬୨ହଜାର ୬୯୬ ଶଯ୍ୟା ବ୍ୟବସ୍ଥା କରାଯାଇଛି।