ସଂଶୋଧିତ ହେଲା ସର୍ବନିମ୍ନ ଶ୍ରମିକ ମଜୁରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଅକ୍ଟୋବର ପହିଲାରୁ ପିଛିଲା ଭାବେ ସର୍ବନିମ୍ନ ମଜୁରିର ସଂଶୋଧନ କରିଛନ୍ତି ସରକାର। ଏହାଦ୍ୱାରା ରାଜ୍ୟର ୮୯ଟି ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ସର୍ବାଧିକ କୁଶଳୀ ଶ୍ରମିକ ଉପକୃତ ହେବେ। ଏନେଇ ରାଜ୍ୟ ଶ୍ରମ କମିସନର ଡକ୍ଟର ଏନ ଥିରୁମାଲା ନାୟକଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ରାଜ୍ୟ ଶ୍ରମ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସର୍ବନିମ୍ନ ମଜୁରୀ ପରାମର୍ଶଦାତା ବୋର୍ଡର ୫୨ ତମ ବୈଠକରେ ସବୁ ବର୍ଗର ଶ୍ରମିକଙ୍କ ଦୈନିକ ମହଙ୍ଗା ଭତ୍ତା ୪ ଟଙ୍କା ବୃଦ୍ଧି ନିମନ୍ତେ ନିଷ୍ପତ୍ତି ହୋଇଛି। ଶ୍ରମ କମିସନର ଏନ୍ ଥିରୁମାଳା ନାଏକ ଏନେଇ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି। ସର୍ବନିମ୍ନ ମଜୁରୀ ହାର ସହିତ ୧ ଅକ୍ଟୋବର, ୨୦୨୧ରୁ ଏହା ଲାଗୁ କରାଯିବ ବୋଲି ଶ୍ରମ କମିସନରଙ୍କ ବିଜ୍ଞପ୍ତିରେ କୁହାଯାଇଛି।

ଏହି ବର୍ଦ୍ଧିତ ଭତ୍ତା ଲାଗୁ ହେବାପରେ ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୩୧୫ ଟଙ୍କା, ଅର୍ଦ୍ଧକୁଶଳୀଙ୍କର ୩୫୫ ଟଙ୍କା, କୁଶଳୀଙ୍କ ୪୦୫ ଟଙ୍କା ଓ ଉଚ୍ଚକୁଶଳୀଙ୍କ ମଜୁରୀ ୪୬୫ ଟଙ୍କାକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ମଜୁରିର ଫାଇଦା ହୋଟେଲ, ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ରେଷ୍ଟୁରାଣ୍ଟ, ସିନେମା ହଲ ଓ ଅନ୍ୟାନ୍ୟ ଶିଳ୍ପ ପ୍ରତିଷ୍ଠାନ ଆଦିରେ କାମ କରୁଥିବା ଶ୍ରମିକଙ୍କୁ ମଧ୍ୟ ମିଳିବ।