ଘରୋଇ ସ୍କୁଲ ଫି ବୃଦ୍ଧି ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ

କଟକ,ଏନ୍ଏନ୍ଏସ୍: ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି। ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ। କେତେ ପ୍ରତିଶତ ଫି’ କମାଯାଇପାରିବ ସେନେଇ ସ୍ପଷ୍ଟ ମତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏକ ସପ୍ତାହର ମହଲତ ନେଇଛନ୍ତି ରାଜ୍ୟ ସରକାର। ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

କରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକ ଫି ଛାଡ଼ କରିବାକୁ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି । ତେବେ ୭ଟି ସ୍ଲାବରେ ଫି’ହ୍ରାସ କରିବାକୁ ରାଜ୍ୟ ସରକାର ହାଇକୋର୍ଟରେ ପ୍ରସ୍ତାବ ରଖିଥିଲେ। ଗତ ସେପ୍ଟେମ୍ବର ୧ ତାରିଖରେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଏହାର ଆପୋସ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଯଦି କୌଣସି ବାଟ ନ ବାହାରେ ତାହେଲେ କୋର୍ଟ ନିଷ୍ପତ୍ତି ନେବେ ବୋଲି ଦର୍ଶାଇଛନ୍ତି।