ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରୁଛନ୍ତି: ଲେଖାଶ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜାତୀୟ ଐତିହ୍ୟ ପ୍ରାଧିକରଣ ସଂସଦର ଆକ୍ଟ ଦ୍ୱାରା ଗଠନ କରାଯାଇଥିବା ଏକ ସରକାରୀ ବ୍ୟବସ୍ଥା । ଏହି ବ୍ୟବସ୍ଥା ଅନୁସାରେ ଏଏସଆଇ ମଧ୍ୟ କାମ କରୁଛି। ପୁରୀ- କୋଣାର୍କ- ଲିଙ୍ଗରାଜ ଆଦି ପୁରୁଣା ପ୍ରତ୍ନତାତ୍ୱିକ କୀର୍ତିରାଜି ପୁରାତନ ଐତିହ୍ୟ ସଂରକ୍ଷଣ ଆକ୍ଟ ଅନୁସାରେ ପରିଚାଳିତ। ଓଡିଶାର କିଛି ପୁରାତନ କୀର୍ତିରାଜିର ସୁରକ୍ଷା ନେଇ ଜାତୀୟ ଐତିହ୍ୟ ପ୍ରାଧିକରଣ ଏକ ଚିଠା (ଡ୍ରାଫ୍ଟ) ବାଇ-ଲ ପ୍ରସ୍ତୁତ କରି ଜନସାଧାରଣଙ୍କ ଅବଗତି ନିମନ୍ତେ ସର୍ବଜନୀନ କରିଥିଲେ। ଏହାର କ୍ରିୟାନ୍ୱୟନ ପ୍ରକ୍ରିୟାରେ ଆମର ବି ଆପତି ଅଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଶ୍ରୀ ଲିଙ୍ଗରାଜ ଜୀବନ୍ତ ଠାକୁର । ଏ ପ୍ରସଙ୍ଗରେ କିଛି କରିବା ପୂର୍ବରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ, ସେବାୟତ, ମନ୍ଦିର ପ୍ରଶାସନ ଇତ୍ୟାଦିଙ୍କ ସହ ଆଲୋଚନା କରିବା ଉଚିତ୍ ଥିଲା । କିନ୍ତୁ ତାହା ନକରି ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ବାଇ-ଲ ପ୍ରସଙ୍ଗରେ କେନ୍ଦ୍ର ସରକାର ସମ୍ବେଦନଶୀଳ ଅଛନ୍ତି। ଏହି ପ୍ରସଙ୍ଗ ଆସିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହ କଥାହୋଇ ପୁନଃବିଚାର ପାଇଁ ପ୍ରଥମ ଦିନରୁ ଅନୁରୋଧ କରିଥିଲେ। ଏହା ପରେ ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ଓଡିଶା ବିଜେପିର ପ୍ରତିନିଧି ଦଳ ଓ ପୁରୀର ସେବାୟତମାନଙ୍କ ସହ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହଙ୍କୁ ଭେଟିଥିଲେ। ଏହାପରେ ତତକ୍ଷଣାତ୍ ପୁରୀ ପ୍ରସଙ୍ଗରେ ଏହି ବାଇ – ଲକୁ ତୁରନ୍ତ ପ୍ରତ୍ୟାହାର ଘୋଷଣା କରାଯାଇଥିଲା । ଇନଟାକ୍ ଲିଙ୍ଗରାଜ
ମନ୍ଦିର ପାଖ ଖନନ ନେଇ କଣ ରିପୋର୍ଟ ନେଇଛି ତାହା ରାଜ୍ୟ ସରକାରଙ୍କ ପାଖରେ ଅଛି । ଏହାର କପି ଦେଖନ୍ତୁ – ଇନଟାକ୍ କଣ ସୁପାରିଶ ଏବଂ ମତ ଦେଇଛନ୍ତି ଥରେ ପଢନ୍ତୁ । ଇନଟାକର ପ୍ରତିଷ୍ଠାତା ସଦସ୍ୟ ନିଜେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାର ଏତେ ତରବର କାହିଁକି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । ପୁରାତନ କୀର୍ତିରାଜ ଓଡିଶାର ପରିଚୟ । ପୁରୀ ଶ୍ରୀମନ୍ଦିର ନିର୍ମାଣ ୧୦୦ ବର୍ଷ ପୂର୍ବରୁ ଲିଙ୍ଗରାଜ ମନ୍ଦିର ପ୍ରତିଷ୍ଠା ହୋଇଛି। ଲିଙ୍ଗରାଜ ମନ୍ଦିରର ଶହେ ବର୍ଷ ପୂର୍ବରୁ ପୁରୁଣା ଭୁବନେଶ୍ୱରରେ ରହିଛି ଶୁକ – ଶାରୀ ମନ୍ଦିର। ଏସବୁ କୀର୍ତିରାଜର ସୁରକ୍ଷା ଜରୁରୀ । କିନ୍ତୁ ମିଛ ଖଣ୍ଡିଆ ଭୂତକୁ ଦେଖାଇ ଓଡିଆ ଲୋକଙ୍କ ମନରେ କାହିଁକି ରାଜ୍ୟ ସରକାର ଭୟ ସୃଷ୍ଟି କରିବାକୁ ଚାହୁଁଛନ୍ତି । ପୁରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ନାଁରେ ଲଙ୍ଗୁଳି ମଠ, ଏମାର ମଠ, ବଡଛତା ମଠ, ରଘୁନନ୍ଦନ ଲାଇବ୍ରେରୀ ପରି ପୁରାତନ କୀର୍ତିରାଜକୁ ଧ୍ୱଂସକରି ଦିଆଯାଇଛି। ସୌନ୍ଦର୍ଯ୍ୟକରଣ ନାଁରେ ଏହିପରି କାର୍ଯ୍ୟ ଗ୍ରହଣୀୟ ନାଁ ନୁହେଁ, ସମାଜରେ ଭିନ୍ନ ମତ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସି ଗୁରୁ ନାନକ ଦେବ ହୁଅନ୍ତୁ କିମ୍ବା ଶ୍ରୀଚୈତନ୍ୟ ଯେଉଁ ମଠରେ ନିବାସ କରିଥିଲେ, ସେ ପବିତ୍ର ସୌଧକୁ ଧ୍ୱଂସ କରିବାକୁ ଆମେ କିପରି ସମ୍ମତି କରିପାରିବା ? ପୁରାତନ ସୌଧ ତ୍ୱରାନ୍ୱିତ କରି ରାସ୍ତା ଉପରେ ଟାଇଲ ବିଛାଇ, ଆଲୋକୀକରଣ କରି କ୍ରୁତିମ ଗଛ ଲଗାଇବା କଣ ଏହି ଐତିହ୍ୟର ସୁରକ୍ଷା ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।