ଦେବଗଡ଼,ଏନ୍ଏନ୍ଏସ୍ : ସ୍ୱୟଂ ସହାୟକ ମହିଳାଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ପାଇଁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ବ୍ୟାଙ୍କରୁ ମିଶନ ଶକ୍ତି ବିଭାଗ ଜରିଆରେ ଋଣ ପ୍ରଦାନ କରାଯାଇଛି । ଟାଉନ ହଲରେ ଆୟୋଜିତ ଋଣ ମେଳା କାର୍ଯ୍ୟକ୍ରମରେ ଅତିଥିଭାବେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଜିଲ୍ଲାପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ଏଲଡିଏମ ଆଦିତ୍ୟ କୁମାର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲୁକାଶ ପ୍ରଧାନ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନରହରି ସିଂ ମଞ୍ଚାସିନ ଥିଲେ । ଜିଲ୍ଲାର ଏସଏଚଜିଙ୍କୁ ସ୍ୱାବଲମ୍ବୀ କରିବା ସହ କ୍ଷୁଦ୍ର ଉଦ୍ୟୋଗୀ ଭାବେ ସେମାନଙ୍କୁ ପ୍ରତିଷ୍ଠିତ କରାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ବିଭିନ୍ନ ବ୍ୟାଙ୍କରୁ ଋଣ ଯୋଗାଇଥିବା ନେଇ ଉପସ୍ଥିତ ଅତିଥିବୃନ୍ଦ କହିଛନ୍ତି । ୩୪୫ ଏସଏଚଜି ଗ୍ରୁପକୁ ବିଭିନ୍ନ ବ୍ୟାଙ୍କ ଜରିଆରେ ୧୧ କୋଟି ୪୧ ଲକ୍ଷ ଟଙ୍କାର ଋଣ ସହାୟତା ଯୋଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ଏହି ଉଦ୍ୟମକୁ ଏସଏଚଜି ମହିଳାମାନେ ପ୍ରଶଂସା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।