ପୁଲିସ କ୍ୟାଣ୍ଟିନରେ ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ରାଜ୍ୟ କଂଗ୍ରେସ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ସଦର ମୁହାକୁମା ପୁଲିସ କ୍ୟାଣ୍ଟିନର ଜଣେ କାର୍ଯ୍ୟରତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ କଂଗ୍ରେସ ବର୍ଷିଛି। ତେବେ ମହିଳା ଜଣଙ୍କୁ ଗଣଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ଆଣିଛି। ଏ ନେଇ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ ଏହି ଗଣଦୁଷ୍କର୍ମ ଓ ହତ୍ୟାକୁ ଚପାଇବା ପାଇଁ ପୁଲିସ ଓ ଜିଲ୍ଲା ପ୍ରଶାସନ ଚକ୍ରାନ୍ତ ଚଳାଇଛନ୍ତି।

ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁକୁ ୩୩ ଦିନ ବିତିଯାଇଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବାରୁ ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ତାଙ୍କ ଚିକିତ୍ସାରେ ମଧ୍ୟ ଅବହେଳା ହୋଇଥିବା ଅଭିଯୋଗ ହୋଇଛି। ତେବେ ୧୫ ଦିନ ମଧ୍ୟରେ ଦୋଷୀଙ୍କୁ ଧରିବା ପାଇଁ ମାଲକାନଗିରି ଏସପି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ। ତେଣୁ ତୁରନ୍ତ ଏ ସମ୍ପର୍କରେ କୌଣସି ପଦକ୍ଷେପ ନିଆନଗଲେ ମହିଳାମାନଙ୍କୁ ଏକତ୍ର କରାଯାଇ ବିଧାନସଭା ଘେରାଉ କରିବାକୁ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।