ରାଜ୍ୟ କଂଗ୍ରେସ ପ୍ରତିନିଧି ମଣ୍ଡଳୀର ଦେବଗଡ଼ ଜିଲ୍ଲା ବନ୍ୟାଞ୍ଚଳ ପରିଦର୍ଶନ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ଲଘୁଚାପ ପ୍ରଭାବରେ ଗତ ସପ୍ତାହରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ତେଣୁ ଏହାର ଆକଳନ ପାଇଁ ରାଜ୍ୟ କଂଗ୍ରେସର ଏକ ପ୍ରତିନିଧି ଦଳ ଦେବଗଡ଼ ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ଲଘୁଚାପ ବର୍ଷା ପ୍ରଭାବରେ ଟିକିରା ନଦୀରେ ବନ୍ୟା ସୃଷ୍ଟି ହୋଇ ରିଆମାଳ ବ୍ଲକ୍ ଚଢେଇମରା, ବୁଢାପାଳ, ନୂଆଁପଡ଼ା ଓ କୁଣ୍ଢେଇଗୋଳା ପଞ୍ଚାୟତର ଆଉଁଳିଠାରେ ବହୁ ଚାଷ ଜମି ଓ ଘର ଦ୍ୱାର ନଷ୍ଟ ହୋଇଯାଇଛି।

ବନ୍ୟା କ୍ଷତିଗ୍ରସ୍ତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚିତ ସହାୟତା ମିଳୁଛି କି ନାହିଁ ସେ ନେଇ ରାଜ୍ୟ କଂଗ୍ରେସ ବିଭିନ୍ନ ଜିଲ୍ଲାକୁ ଦଳୀୟ ପ୍ରତିନିଧି ମଣ୍ଡଳୀ ପଠାଇ ସ୍ଥିତି ଅନୁଧ୍ୟାନ କରୁଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ, ପୂର୍ବତନ ସାଂସଦ ଶରତ ପଟ୍ଟନାୟକ, ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ମାଝୀ ଜିଲ୍ଲା କଂଗ୍ରେସ ସଭାପତି ଉମା ଶଙ୍କର ସାହୁଙ୍କ ସହ ଦେବଗଡ଼ ଜିଲ୍ଲା ଗସ୍ତରେ ଆସି ସବୁ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ଏଥିସହିତ ବନ୍ୟା ପ୍ରଭାବିତ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ବନ୍ୟା ପ୍ରଭାବିତ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନ କରିଥିଲେ।

ଏହି ଗସ୍ତ ଅବସରରେ କଂଗ୍ରେସ ଦଳ ପକ୍ଷରୁ ବନ୍ୟାରେ କ୍ଷତିଗ୍ରସ୍ତ ପରିବାରଙ୍କୁ ବସ୍ତ୍ର ପ୍ରଦାନ କରାଯିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ରାଜ୍ୟ କଂଗ୍ରେସ ପ୍ରତିନିଧି ମଣ୍ଡଳୀଙ୍କ ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାଏକ, ଉପସଭାପତି ପ୍ରକାଶ ଚନ୍ଦ୍ର ଦେବତା, ଏସଟିସେଲ ସଭାପତି କ୍ଷେତ୍ର କୁମାର ପାତ୍ର, ସାଧାରଣ ସମ୍ପାଦକ ବିନୋଦ କୁମାର ନାଏକଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏହି ଅବସରରେ ରିଆମାଳ ଅଞ୍ଚଳର ବରିଷ୍ଠ କଂଗ୍ରେସ ସଦସ୍ୟ ରସାନନ୍ଦ ବିଶ୍ୱାଳ ଓ ଧରଣୀଧର ଗଡ଼ନାୟକଙ୍କୁ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।