ବିଜେପି ପକ୍ଷରୁ ବସ୍ତି ଏବଂ ଡାକ୍ତରଖାନାରେ ଫଳ, ମାସ୍କ, ସାନିଟାଇଜର ବଣ୍ଟନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଦେଶବ୍ୟାପୀ ବିଜେପି ପକ୍ଷରୁ ଚାଲିଥିବା ସେବା ସପ୍ତାହ କାର୍ଯ୍ୟକ୍ରମ ତୃତୀୟ ଦିନରେ ପହଞ୍ଚିଛି। ଏହି କ୍ରମରେ ବୁଧବାର ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଓ ସାଂସ୍କୃତିକ ପ୍ରକୋଷ୍ଠ ପକ୍ଷରୁ କାର୍ଯ୍ୟକର୍ତ୍ତାମାନେ ରାଜ୍ୟର ସମସ୍ତ ବସ୍ତି ଏବଂ ଡାକ୍ତରଖାନାକୁ ଯାଇ ଫଳ, ମାସ୍କ ଓ ସାନିଟାଇଜର ବିତରଣ କରିଛନ୍ତି।
ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଆଜି କଟକ ସହରର ବିଭିନ୍ନ ବସ୍ତି ଓ ଡାକ୍ତରଖାନାକୁ ଯାଇ ଫଳ, ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି କାର୍ଯ୍ୟକର୍ତ୍ତାମାନେ କୋଭିଡ୍-୧୯ ଗାଇଡଲାଇନକୁ ପାଳନ କରି ସେବା ଏବଂ ବଣ୍ଟନ କାର୍ଯ୍ୟକ୍ରମ କରିଥିଲେ। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁରୋଧକ୍ରମେ ସପ୍ତାହବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ସେବା ସପ୍ତାହ କାର୍ଯ୍ୟକ୍ରମରେ ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ସମସ୍ତ ନିର୍ବାଚିତ ଜନ ପ୍ରତିନିଧିମାନଙ୍କ ସହ ଦଳର ସମସ୍ତ ପଦାଧିକାରୀ ଓ କାର୍ଯ୍ୟକର୍ତାମାନେ କୋଭିଡ୍-୧୯ ନୀତିନିୟମକୁ ପାଳନ ସହ ଯୋଗଦାନ କରୁଛନ୍ତି। ଆଜିର ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଉପ ସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସଂପାଦିକା ସର୍ମିଷ୍ଠା ମେହେର ଓ ସିପ୍ରା ବାଜପେୟୀ, ସାଂସ୍କୃତିକ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପଞ୍ଚାନନ ନାୟକ, ସଞ୍ଜୀବ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଆସନ୍ତାକାଲି ଗୁରୁବାର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପଡ଼ୁଛି।