ଏମ୍ସରେ ଭର୍ତ୍ତି ହେଲେ ୩ ଗୋଡ଼ ଥିବା ସୁଦାମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ସରକାର ହେଉ ବା କେନ୍ଦ୍ର ସରକାର ବର୍ତ୍ତମାନ ସମୟରେ ଏକ ଯୁଗନ୍ତକାରୀ ପଦକ୍ଷେପ ନେଉଛନ୍ତି। ବିଭିନ୍ନ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଉଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲାର ଔପଦା ବ୍ଲକର ବଡ଼ପୋଖରୀ ଗାଁ’ର ଶିଶୁ ସୁଦାମ ଚରଣ ବେହେରାଙ୍କୁ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ସୁଦାମଙ୍କ ଜନ୍ମରୁ ୩ଟି ଗୋଡ଼ ଥିଲା । ଏ ନେଇ ସେ ଦୈନନ୍ଦିନ ଜୀବନରେ ଚଳପ୍ରଚଳ ପାଇଁ ବେଶ୍ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସୁଦାମର ଉଚ୍ଚତର ଚିକିତ୍ସା ସମ୍ପର୍କରେ ବାଲେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ ମାନବ ଉତ୍ଥାନ ସେବାସଂସ୍ଥାନ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ସୁଦାମର ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଚିଠିରେ ଗୁରୁବାର ସୁଦାମଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ଶିଶୁଟିର ଉଚ୍ଚତର ଚିକିତ୍ସା ସହାୟତାରେ ମାନବ ଉତ୍ଥାନ ସେବା ସଂସ୍ଥାନର ସଭାପତି ଜୟନ୍ତ କୁମାର ପ୍ରଧନ, ସନତ କୁମାର ପାତ୍ର, ବ୍ରହ୍ମାନନ୍ଦ ସ୍ୱାଇଁ, ସୁଧାକର ସେଠୀ, ମଧୁସୂଦନ ବେହେରା ଓ ସାମ୍ବାଦିକ ରାମଜୀବନ ଗୋଚ୍ଛାୟତଙ୍କର ପ୍ରମୁଖ ଭୂମିକା ରହିଛି । ସୁଦାମର ବାପା ଶୁକୁରି ବେହେରା ଓ ମାଆ କୁମୁଦିନୀ ବେହେରା ଏମ୍ସରେ ପୁଅ ପାଖରେ ରହି ଦେଖାଶୁଣା କରୁଛନ୍ତି ।