ଦେବଗଡ଼ ପୌର ନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ଏଲିନାଙ୍କ ମାରାଥନ ପ୍ରଚାର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ପୌର ନିର୍ବାଚନ ପ୍ରଚାରର ଆଜି ଶେଷ ଦିନ ଥିବାବେଳେ ଦେବଗଡ଼ ପୌରପରିଷଦକୁ ଦଖଲ ପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି । ଦେବଗଡ଼ ଜିଲ୍ଲା ବିଜେପି ପକ୍ଷରୁ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ଷ୍ଟାର ପ୍ରଚାରକ ଅଭିନେତ୍ରୀ ଏଲିନାଙ୍କ ସହ ପୌରାଧ୍ୟକ୍ଷା ପ୍ରାର୍ଥିନୀ ମାଧବୀ ଦେବୀ ଓ ସମସ୍ତ ୱାର୍ଡର କାଉନସିଲର ପ୍ରାର୍ଥୀ ପୌରାଞ୍ଚଳର ସମସ୍ତ ୱାର୍ଡରେ ମାରାଥନ ପ୍ରଚାର କରିଛନ୍ତି । ପଞ୍ଚାୟତ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ପୌର ନିର୍ବାଚନରେ ଯେପରି ଏହାର ପୁନରାବୃତ୍ତି ନହୁଏ ସେଥିପାଇଁ ବିଜେପି ସମସ୍ତ ପ୍ରକାର କୌଶଳ ଆପଣାଇବା ସହ ପୌରାଧ୍ୟକ୍ଷା ପ୍ରାର୍ଥିନୀ ଭାବେ ସମ୍ବଲପୁର ଲୋକସଭା ସାଂସଦ ନୀତେଶ ଗଙ୍ଗଦେବଙ୍କ ଭାଉଜ ମାଧବୀ ଦେବୀଙ୍କ ନାମ ଘୋଷଣା ପରେ ବିଜେପି କର୍ମୀ ମହଲରେ ନୂତନ ଆଶା ଉଜ୍ଜୀବିତ ହୋଇଛି । ଆଜିର ଏହି ମାରାଥନ ପ୍ରଚାର ସହରର ସମସ୍ତ ସାହି ଗଳି ବୁଲି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିବାବେଳେ ସମସ୍ତ ଦଳୀୟ ପଦାଧିକାରୀ ଓ କର୍ମୀ ପ୍ରବଳ ଖରା ସତ୍ୱେ ଉତ୍ସାହ ସହିତ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଏଲିନା କୌଣସି ଦଳ କିମ୍ବା ବ୍ୟକ୍ତି ବିଶେଷଙ୍କ ପ୍ରଲୋଭନରେ ନ ଆସି ଦେବଗଡ଼ର ସାମଗ୍ରିକ ବିକାଶ ପାଇଁ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଭୋଟରଙ୍କୁ ଆହ୍ୱାନ ଦେଇଥିଲେ ।