ପ୍ରେମ ପ୍ରତାରଣାରୁ ଷ୍ଟାଫ ନର୍ସଙ୍କ ମୃତ୍ୟୁ ଘଟଣା, ପ୍ରତାରକ ପୁଲିସ ଏଏସଆଇ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ପ୍ରେମ ପ୍ରତାରଣା ପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଷ୍ଟାଫନର୍ସଙ୍କ ମୃତ୍ୟୁ ଘଟଣାରେ ବନହରପାଲି ଥାନାରେ କାର୍ଯ୍ୟରତ ଜଣେ ପୁଲିସ ଏଏସଆଇ ଗିରଫ ହୋଇଛନ୍ତି। ଗିରଫ ଏଏସଆଇ ଜଣକ ଯୁଗଳ ସେଠ ବୋଲି ଜଣାପଡ଼ିଛି। ଯୁଗଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ବନହରପାଲି ପୁଲିସ ସୂଚନା ଦେଇଛି। ଏହାସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ ଯୁଗଳଙ୍କୁ ନିଲମ୍ବିତ କରିଥିବା ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ଅଭିଯୁକ୍ତ ଯୁଗଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଷ୍ଟାଫ ନର୍ସ ଜନନୀ ମାଝୀଙ୍କୁ ପ୍ରେମ ଜାଲରେ ଫସାଇ ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ ପୂର୍ବରୁ ବିବାହିତ ଥିବା ଯୁଗଳ ଜନନୀଙ୍କୁ କେବେ ପତ୍ନୀର ମାନ୍ୟତା ଦେଇ ନଥିଲେ। ଜନନୀ ବାହା ହେବା ପାଇଁ କହିବାରୁ ଯୁଗଳ ତାଙ୍କୁ ଏକ ଘରେ ବନ୍ଦ କରି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିଲେ। ଏନେଇ ଜନନୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଗତ ୨୮ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ଏହାର ମାତ୍ର ୩ଦିନ ପରେ ଗତ ୧ ତାରିଖ ବେହେରାମାଲସ୍ଥିତ ଏକ ଭଡ଼ା ଘରୁ ଜନନୀଙ୍କ ମୃତଦେହ ପୁଲିସ ଉଦ୍ଧାର କରିଥିଲା। ତେବେ ଜନନୀଙ୍କ ଅଭିଯୋଗକୁ ଭିତ୍ତି କରି ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସଙ୍କ ନିର୍ଦ୍ଦେଶକ୍ରମେ ବନହରପାଲି ଥାନାରେ ଅଭିଯୁକ୍ତ ଏଏସଆଇ ଯୁଗଳ ବିରୋଧରେ ଆଇପିସିର ଧାରା ୪୯୪ ଏବଂ ୩୦୬ରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଇଥିଲା। ଜିଲ୍ଲା ସଦର ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ନର୍ସ ଜନନୀ ମାଝୀଙ୍କ ସହ ଗତ କିଛିଦିନ ହେଲା ପ୍ରେମ ସଂପର୍କରେ ଛନ୍ଦି ହୋଇଥିଲେ ଅଭିଯୁକ୍ତ। ସେମାନେ ଝାରସୁଗୁଡ଼ା ବେହେରାମାଲଠାରେ ଏକ ଘର ଭଡ଼ାରେ ନେଇଥିଲେ।  ପତିପତ୍ନୀ ଭାବେ ଏକାଠି ରହିବେ ବୋଲି ଘର ମାଲିକଙ୍କୁ କହି କିଛି ଦିନ ଦୁହେଁ ସାଙ୍ଗରେ ମଧ୍ୟ ରହିଥିଲେ ବୋଲି ତଦନ୍ତ କରି ପୁଲିସ ଜାଣି ପାରିଥିଲା। ହେଲେ କିଛିଦିନ ସାଙ୍ଗରେ ରହିବା ପରେ ଯୁଗଳ ପ୍ରେମିକା ଜନନୀକୁ ଛାଡ଼ି ଦେଇ ଲୁଚିବାକୁ ଲାଗିଥିଲେ। ପ୍ରତାରିତା ପ୍ରେମିକା ବହୁବାର ତାଙ୍କୁ ସାକ୍ଷାତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ବନହରପାଲି ଥାନାରେ ସଂପୃକ୍ତ ପୁଲିସ ଏଏସଆଇ ଟ୍ରେନି ଭାବେ କାର୍ଯ୍ୟରତ ଥିଲେ। ବନହରପାଲି ଥାନାରେ ପହଂଚି ସେ ସମସ୍ତ ପୁଲିସ କର୍ମଚାରୀ ଏବଂ ଅଧିକାରୀଙ୍କ ସମ୍ମୁଖରେ ଏତଲା ପ୍ରଦାନ କରିବା ସହ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ନ୍ୟାୟ ନମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି ଲିଖିତ ଭାବେ ଜଣାଇଥିଲେ। ପରେ ଏସପି ବିକାଶ ଚନ୍ଦ୍ର ଦାଶଙ୍କୁ ଝାରସୁଗୁଡ଼ାଠାରେ ସାକ୍ଷାତ କରି ସମାନ ଅଭିଯୋଗ କରି ନ୍ୟାୟ ନ ମିଳିଲେ ଆତ୍ମହତ୍ୟାର ଚେତାବନୀ ଦେଇଥିଲେ।