ଶ୍ରୀମନ୍ଦିର ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ୪୦କୋଟି ମଞ୍ଜୁର

ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ଅଧିଗ୍ରହଣ ଓ ପୁର୍ନବାସ ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ୪୦କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏ ନେଇ ଜମିଅଧିଗ୍ରହଣର ବିଜ୍ଞପ୍ତିର ଏକମାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗୁଛି। ତେଣୁ ସର୍ଭେ ବେଳେ ଏହି ପରିବାରଙ୍କ ଘରକୁ ଅଗ୍ରାଧିକାର ଦିଆଯାଇଛି। ଅଧିଗ୍ରହଣର ଏକମାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କୁ ୧୦% ଅଧିକ ସହାୟତା ରାଶି ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ବୁଧବାର ଶ୍ରୀମନ୍ଦିର ସୁରକ୍ଷା ଜୋନର ୭୫ମିଟର ପରିଧିରେ ଲୋକଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଏକ ଟିମ ଲୋକମାନଙ୍କର ମତାମତ ସଂଗ୍ରହ କରୁଛି।

ଏଥିରେ ୫ଟି ମୌଜାର ମୋଟ ୧୫ ଏକର ଜମି ଅଧିଗ୍ରହଣ ପାଇଁ ସର୍ଭେ ହେଉଛି। ପ୍ରଶାସନର ୫ଟି ଟିମ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟ ଚୂଡ଼ଙ୍ଗ ସାହିରୁ ଏହି ସର୍ଭେ ଆରମ୍ଭ କରିଛି। ଏ ନେଇ ଟିମ ଘର ଘର ବୁଲି ବିସ୍ଥାପିତ ପରିବାରର ମତାମତ ସଂଗ୍ରହ ଆରମ୍ଭ କରିଛି।