ଶ୍ରୀରାମ ମନ୍ଦିର ଶିଳାନ୍ୟାସକୁ ନେଇ ଉତ୍ସବ ମୁଖର ମୁନିଗୁଡା, ସଂଘ ପରିବାର ତରଫରୁ ମିଷ୍ଟନ୍ନ ବଣ୍ଟନ

ମୁନିଗୁଡା,ଏନ୍ଏନ୍ଏସ୍: ଅଯୋଧ୍ୟାର ଶ୍ରୀରାମ ଜନ୍ମ ସ୍ଥାନରେ ମନ୍ଦିର ଶିଳାନ୍ୟାସକୁ ନେଇ ସାରା ଦେଶ ଉତ୍ସବ ମୁଖର ହୋଇଉଠିଛି। ଏହି ପରିପ୍ରେକ୍ଷୀରେ ମୁନିଗୁଡା ସହର ଭଗବା ଧ୍ୱଜରେ ସଜେଇ ହେବା ସହ ରାମମୟ ହୋଇଉଠିଛି। ଆଜି ମୁନିଗୁଡାର ପ୍ରତେକ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ବଳନ ହେଉଛି। ସେହିପରି ବିଶ୍ଵ ହିନ୍ଦୁ ପରିଷଦ, ବଜରଙ୍ଗଦଳ ଓ ସଂଘ ପରିବାର ତରଫରୁ ଶ୍ରୀରାମ ମନ୍ଦିରରେ ଦୀପ ଦାନ ସହ ମୁନିଗୁଡା ତିନି କୋଣିଆ ଛକ ସହିଦ ଲକ୍ଷ୍ମଣ ନାୟକ ମଣ୍ଡପରେ ଶ୍ରୀରାମଙ୍କ ଫଟୋଚିତ୍ର ସ୍ଥାପନ କରି ପୂଜାର୍ଚ୍ଚନା କରାଯାଇଥିଲା।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ଉମାଶଙ୍କର ପାତ୍ର ଓ ବରିଷ୍ଠ ବଜରଙ୍ଗଦଳ କର୍ମୀ ଅଜୟ କୁମାର ନାଗ, ମୁନିଗୁଡା ବଜରଙ୍ଗ ଦଳ ସଂଯୋଜକ ଚନ୍ଦନ ସାହୁ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ମହାମାରୀ କରୋନାକୁ ଦୃଷ୍ଟିରେ ରଖି କଟକଣା ମଧ୍ୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ସଂଘର ଜିଲ୍ଲା ପ୍ରଚାର ପ୍ରମୁଖ ମନୋରଞ୍ଜନ ଦଳାଇ, ପଦ୍ମଚରଣ ବେହେରା, ଭୀମ ବେହେରା, ନାଗେଶ୍ୱର ଆଚାରି, ଅଶ୍ୱିନୀ ବାରିକ, ରମେଶ ପାଣି ପ୍ରମୁଖ ସହାୟତା କରିଥିଲେ। ସେହିପରି ଅଞ୍ଚଳର ସମସ୍ତ ମନ୍ଦିର ଓ ପରିବାରରେ ରାମନାମ ଜପ ଚାଲୁଥିଲା। ଏହି ଐତିହାସିକ କାର୍ଯ୍ୟକ୍ରମକୁ ସମସ୍ତ ଜନସାଧାରଣ ଭକ୍ତିର ସହ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ସଂଘ ପରିବାର ତରଫରୁ ସହର, ଗଳିକନ୍ଦିରେ ବୁଲିବୁଲି ଭୋଗ ଲଡୁ ବାଣ୍ଟିଥିଲେ।