ପୁଣି କ୍ରିକେଟ ମୈଦାନକୁ ଫେରିବେ ଶ୍ରୀସନ୍ଥ

ନୂଆଦିଲ୍ଲୀ, ଏଜେନ୍ସି: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଶ୍ରୀସନ୍ଥ ପୁଣି ଖେଳିବାନେଇ ଆଶା ସଂଚାର ହୋଇଛି। କ୍ରିକେଟ ଖେଳରୁ ନିଷେଧାଦେଶ ଉଠିଥିବାରୁ ୭ ବର୍ଷ ପରେ ଏସ୍ ଶ୍ରୀସନ୍ଥ ବୃତ୍ତିଗତ କ୍ରିକେଟକୁ ଫେରିବାକୁ ଯାଉଛନ୍ତି।
ଶ୍ରୀସନ୍ଥ୨୦୧୩ରେ ଆଇପିଏଲ୍ ମ୍ୟାଚ୍ ଫିକ୍ସିଂରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଶ୍ରୀସନ୍ଥଙ୍କ ସହ ଆଉ ଦୁଇ କ୍ରିକେଟର ଅଜିତ ଚଣ୍ଡିଲା ଏବଂ ଅଙ୍କିତ ଚାଭାନ ମଧ୍ୟ ମ୍ୟାଚ୍ ଫିକ୍ସିଂରେ ଫସିଥିଲେ । ସେଥିପାଇଁ ବିସିସିଆଇ ଏହି ତିନି ଖେଳାଳିଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଥିଲା। ଏହା ବ୍ୟତୀତ ଏହି ତିନିଜଣଙ୍କୁ ମଧ୍ୟ ଜେଲଦଣ୍ଡ ମଧ୍ୟ ମିଳିଥିଲା ।

ତେବେ ମ୍ୟାଚ୍ ଫିକ୍ସିଂ ପ୍ରସଙ୍ଗରେ ଶ୍ରୀସନ୍ଥଙ୍କୁ ଏକ କ୍ଲିନଚିଟ୍ ମିଳିଛି। କ୍ରିକେଟ୍ ଖେଳିବା ପାଇଁ ତାଙ୍କ ଉପରେ ଲଗାଯାଇଥିବା ଆଜୀବନ ପ୍ରତିବନ୍ଧକକୁ ମଧ୍ୟ ହଟାଇ ଦିଆଯାଇଛି। କେରଳ କ୍ରିକେଟ୍ ଆସୋସିଏସନର ସଭାପତି ସଜନ ଭାର୍ଗସେ ଏହି ଖବରକୁ ନିଶ୍ଚିତ କରି କହିଛନ୍ତି ଯେ ଶ୍ରୀସନ୍ଥ ଘରୋଇ ଟି-୨୦ କପରେ ଖେଳିବେ । ସେହି ମ୍ୟାଚ ପାଇଁ ସମସ୍ତ ଖେଳାଳି ଏବଂ କର୍ମଚାରୀ ହୋଟେଲରେ ବ୍ୟବସ୍ଥା ହୋଇଛି । କେରଳ କ୍ରିକେଟ୍ ଆସୋସିଏସନ ଟୁର୍ଣ୍ଣାମେଣ୍ଟ ପାଇଁ ରାଜ୍ୟ ସରକାରଙ୍କ ଗ୍ରୀନ ସିଗନାଲ ଅପେକ୍ଷା କରିଛି। ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଅନୁମତି ଦିଆଯିବ ବୋଲି ଭାର୍ଗସେ ଆଶା କରିଛନ୍ତି।