ରାଜ୍ୟ ସରକାରଙ୍କ ବାତ୍ୟା ପ୍ରସ୍ତୁତିକୁ ନେଇ ଏସଆରସିଙ୍କ ସୂଚନା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ବନ୍ଧରେ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଏସଆରସି କହିଛନ୍ତି ଯେ, ଭାରତୀୟ ପାଣିପାଗ ବିଭାଗ ଅନୁସାରେ ବାତ୍ୟା ୧୦ରୁ ଉପକୂଳଠାରୁ ୨୫୦ କିମି ଦୂରରେ ଥିବ । ଆସନ୍ତାକାଲି ଏହା ଆହୁରି ସ୍ପଷ୍ଟ ହୋଇଯିବ । କାଲି ସଂଧ୍ୟାରେ ଆମେ ଏନଡିଆରଏଫ୍ ଓ ଓଡ୍ରାଫ୍ ଟିମ୍ ମୁତୟନ କରିବା ଲାଗି ଯୋଜନା ପ୍ରସ୍ତୁତ କରିବୁ । ୧୦ରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁରରେ ବର୍ଷା ହୋଇପାରେ । ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ମତ୍ସ୍ୟଜୀବୀଙ୍କ ଗତି ଉପରେ ନଜର ରଖିବାକୁ ନୌସେନା କୋଷ୍ଟଗାର୍ଡକୁ କୁହାଯାଇଛି । ୮ ତାରିଖ ସକାଳୁ ମତ୍ସ୍ୟଜୀବୀଙ୍କ ସମୁଦ୍ରକୁ ଯିବାକୁ ଦିଆଯିବନି । ଚାଷ ସମ୍ପର୍କିତ ପରାମର୍ଶ ପାଇଁ କୃଷି ବିଭାଗକୁ ଗାଇଡଲାଇନ ଦେବାକୁ କୁହାଯାଇଛି । ଟେଲିକମ କମ୍ପାନୀମାନଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି । ଯଦି କିଛି ଭିତ୍ତିଭୂମି ଭାଙ୍ଗେ ତ୍ୱରିତ ସେବା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯିବ । ଏଥିସହିତ ଜଳ ସମ୍ପଦ, ପୂର୍ତ୍ତ ଓ ଜଙ୍ଗଲ ବିଭାଗ ସହ ବି ଆଲୋଚନା ହୋଇଛି । ସବୁ ପରିସ୍ଥିତିର ମୁକାବିଲା କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ ।