ଏସଆରସିଙ୍କ ଗ୍ରୀଷ୍ମ ପ୍ରବାହ ଗାଇଡଲାଇନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଚିଠି ଲେଖିଛନ୍ତି। ଏଥିସହ ହେବି ୱେଟ୍ ମୁକାବିଲା ପାଇଁ ଗାଇଡଲାଇନ ଜାରି ହୋଇଛି।
ଅଂଶୁଘାତ ଜନିତ ମୃତ୍ୟୁ ହେଲେ ୪୮ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତା ସମ୍ପର୍କରେ ଲୋକଙ୍କୁ ସଚେତନ ଏବଂ ସଚେତନତା କାର୍ଯ୍ୟକ୍ରମରେ ସାମାଜିକ ସଂସ୍ଥାକୁ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି। ଜଳାଭାବ ସମ୍ଭାବନା ଥିବା ସ୍ଥାନ ଗୁଡ଼ିକୁ ଚିହ୍ନଟ କରିବା, ଟ୍ୟୁବ୍‌ୱେଲ ଓ ପାଇପ ଲାଇନର ମରାମତି କରିବା, ସର୍ବସାଧାରଣ ସ୍ଥାନରେ ପାନୀୟ ଜଳ କେନ୍ଦ୍ର ଖୋଲିବା ଆଦି ଉପରେ ଗୁରୁତ୍ୱ ଦେଇଛନ୍ତି ଏସଆରସି।

କେନାଲରେ ଆବଶ୍ୟକ ଜଳ ଛାଡ଼ିବାକୁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କୋଭିଡ ଯୋଗୁଁ ଶିକ୍ଷାରେ ଉପୁଜିଥିବା କ୍ଷତିର ଭରଣା ଲାଗି ଚଳିତ ବର୍ଷ ଖରାଦିନେ ମଧ୍ୟ ସ୍କୁଲ ଓ କଲେଜ ଖୋଲିବା ନେଇ ମଧ୍ୟ ଆଲୋଚନା ହେବ। ତେଣୁ ଶିକ୍ଷାନୁଷ୍ଠାନରେ ଜଳ ବ୍ୟବସ୍ଥା ଉପରେ ଦୃଷ୍ଟି ଦେବାକୁ ଚିଠିରେ ଉଲ୍ଲେଖ ରହିଛି।

ଗତକାଲି ଭୁବନେଶ୍ୱରରେ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଗତ ମଙ୍ଗଳବାର ଦିନ ଭୁବନେଶ୍ୱରରେ ପାରଦ ଥିବା ୩୭.୩ ଡିଗ୍ରୀ। ଲଗାତାର ୨ ଦିନ ହେଲା ଭୁବନେଶ୍ୱରରେ ପାରଦ ବଢ଼ିବାରେ ଲାଗିଛି। ରାଜ୍ୟର ୯ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି।