ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ସହ ‘ସ୍ପୁଟନିକ ଭି’ ଭ୍ୟାକ୍ସିନ ସୁରକ୍ଷିତ

ନୂଆଦିଲ୍ଲୀ: ଋଷର କରୋନା ଭ୍ୟାକ୍ସିନ ‘ସ୍ପୁଟନିକ ଭି’କୁ ତୃତୀୟ ଚରଣ ପରୀକ୍ଷଣ ବିନା ଲଞ୍ଚ କରାଯାଇଥିଲା। କିନ୍ତୁ ମେଡିକାଲ ଜର୍ନଲ ଲେସେଣ୍ଟ ଏବେ ଏହାର ଦ୍ୱିତୀୟ ଚରଣ ପରୀକ୍ଷଣର ପରିଣାମ ପ୍ରକାଶ କରିଛିି। ଏଥିରେ ‘ସ୍ପୁଟନିକ ଭି’ ଭ୍ୟାକ୍ସିନରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଥିଲେ ମଧ୍ୟ ସୁରକ୍ଷିତ ବୋଲି ଦର୍ଶାଯାଇଛି। ଭ୍ୟାକ୍ସିନ ନେଇଥିବା ପାଖାପାଖି ୫୮ ପ୍ରତଶତ ରୋଗୀ ଇଞ୍ଜେକ୍ସନ ଲଗାଇଥିବା ଜାଗାରେ ଯନ୍ତ୍ରଣା ଅନୁଭବ କରିଥିବାବେଳେ ୫୦ ପ୍ରତିଶତ ଜ୍ଜ୍ୱର, ୪୨ ପ୍ରତିଶତ ମୁଣ୍ଡବ୍ୟଥା, ୨୮ ପ୍ରତିଶତ ଦୁର୍ବଳତା ଓ ୨୪ ପ୍ରତିଶତ ଆଣ୍ଠୁବ୍ୟଥାର ଅଭିଯୋଗ କରିଛନ୍ତି। ଏହାସତ୍ୱେ ମଧ୍ୟ ସମସ୍ତ ରୋଗୀଙ୍କଠାରେ କରୋନା ବିରୋଧରେ ଲଢ଼ିବା ପାଇଁ ଆଣ୍ଟିବଡି ବିକଶିତ ହୋଇଛି। ଆଉ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଛି ଯାହାକି ଏକ ଆଶ୍ୱସ୍ତିକର ଖବର।

ସୂଚନାଯୋଗ୍ୟ, ଋଷ ସରକାର ତୃତୀୟ ଚରଣ ପରୀକ୍ଷା ବିନା ହିଁ ଅଗଷ୍ଟ ୧୧ରେ ‘ସ୍ପୁଟନିକ ଭି’କୁ ଲଞ୍ଚ କରିଥିଲେ। ଏହାକୁ ନେଇ ସମଗ୍ର ବିଶ୍ୱରେ ଋଷର ଆଲୋଚନା କରାଯାଇଥିଲା। ଋଷ ‘ସ୍ପୁଟନିକ ଭି’ ଭ୍ୟାକ୍ସିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ମାସକ ମଧ୍ୟରେ ଶେଷ କରିଥିଲା। ଏଥିସହିତ ମାତ୍ର ୭୬ ଜଣଙ୍କ ଉପରେ ଏହାର ଟ୍ରାଏଲ କରାଯାଇଥିଲା।