ଗାନ୍ଧୀ ପରିବାର ଉପରୁ ହଟିଲା ଏସପିଜି ସୁରକ୍ଷା

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଗାନ୍ଧୀ ପରିବାର ପାଉଥିବା ଏସପିଜି ସୁରକ୍ଷା ହଟାଇବାକୁ ମୋଦି ସରକାର ନିଷ୍ପତି ନେଇଛନ୍ତି । ବର୍ତମାନ ସେମାନେ କେବଳ ଜେଡ୍ ପ୍ଲସ୍ ସୁରକ୍ଷା ପାଇବେ । ଗୃହ ମନ୍ତ୍ରଣଳୟର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ନିଷ୍ପତି ଉପରେ ପ୍ରତିକ୍ରିୟା ଦେଇ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଏହା ଏକ ଷଡଯନ୍ତ୍ର । ଏହା ପଛରେ ଆରଏସଏସ୍ ର ହାତ ରହିଛି ବୋଲି କଂଗ୍ରେସ କହିଛି ।

ଏହାପରେ ଗାନ୍ଧୀ ପରିବାର ଅର୍ଥାତ୍ ସୋନିଆ ଗାନ୍ଧୀ , ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯିବ । ସେମାନଙ୍କ ସୁରକ୍ଷା ଦାୟିତ୍ୱରେ ସିଆରପିଏଫ୍ କମାଣ୍ଡୋ ମାନେ ରହିବେ । ବର୍ତମାନ କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ହିଁ ଏସପିଜି ସୁରକ୍ଷା ରହିବ । ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନିକଟରୁ ମଧ୍ୟ ଏସପିଜି ସୁରକ୍ଷା ହଟାଯାଇ ଜେଡ୍ ପ୍ଲସ୍ କ୍ୟାଟେଗୋରୀ ସୁରକ୍ଷା ଦିଆଯାଉଛି ।

ରିପୋର୍ଟ ଅନୁଯାୟୀ ସମସ୍ତ ସୁରକ୍ଷା ଏଜେନ୍ସି ମାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି । ବହୁ ସମୟ ଧରି ଗାନ୍ଧୀ ପରିବାର ଉପରେ କୌଣସି ପ୍ରକାର ଆକ୍ରମଣ ବା ଧମକ ଆସିନାହିଁ । ଏହାର ଆଶଙ୍କା ନଥିବାରୁ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କମ୍ କରିବାକୁ କେନ୍ଦ୍ର ସରକାର ସ୍ଥିର କରିଥିବା ଜଣାଯାଇଛି ।

ଏସପିଜି (ସ୍ପେଶାଲ ପ୍ରୋଟେକ୍ସନ୍ ଗ୍ରୁପ୍) ରେ ପ୍ରଶିକ୍ଷିତ ଯବାନଙ୍କ ସମେତ ଆଧୁନିକ ଉପକରଣ , ଗାଡି ମଧ୍ୟ ରହିଥାଏ । ଏଥିରେ ସ୍ନାଇପର୍ସ, ବମ୍ ନିରୋଧକ ବିଶେଷଜ୍ଞ ମଧ୍ୟ ରହିଥାନ୍ତି । ଏସପିଜି କମାଣ୍ଡୋଙ୍କ ପାଖରେ ଅତ୍ୟାଧୁନିକ ରାଇଫଲ୍ , ଅନ୍ଧାରରେ ଦେଖିପାରିବା ଭଳି ଚଷମା, ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଭଳି ଅତ୍ୟାଧୁନିକ ଉପକରଣ ରହିଥାଏ । ଏହାସହ ବିଏମଡବ୍ଲୁ ଏବଂ ରେଂଜରୋଭର ରେଂଜର ବହୁ ଗାଡି ମଧ୍ୟ ରହିଥାଏ ।