ଚାଲୁ ରହିବ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ସେବା

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଶ୍ରମିକ ସ୍ପେସାଲ୍ ଟ୍ରେନ୍ ମାଧ୍ୟମରେ ପ୍ରବାସୀଙ୍କୁ ଆରାମଦାୟକ ଏବଂ ସୁରକ୍ଷିତ ଯାତ୍ରା ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଛି ଭାରତୀୟ ରେଳବାଇ। ଗତ ମେ’ ୧ତାରିଖରୁ ଆରମ୍ଭ ହୋଇଥିବା ଶ୍ରମିକ ସ୍ପେସାଲ୍ ଟ୍ରେନ୍ ଜରିଆରେ ବର୍ତ୍ତମାନ ସୁଦ୍ଧା ୪ହଜାର ୩୪୭ରୁ ଉଦ୍ଧ୍ୱର୍ ଟ୍ରେନ୍ ଜରିଆରେ ପ୍ରାୟ ୬୦ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ନିଜନିଜ ରାଜ୍ୟରେ ସୁରକ୍ଷିତ ଭାବେ ପହଞ୍ଚାଯାଇଛି।

ଭରତୀୟ ରେଳବାଇ ପକ୍ଷରୁ ଗୁରୁତ୍ୱ ଦିଆଯାଇ ବିଭିନ୍ନ ରାଜ୍ୟଗୁଡ଼ିକୁ କୁହାଯାଇଛି ଯେ, କୌଣସି ରାଜ୍ୟରୁ ଅନୁରୋଧ ପ୍ରାପ୍ତ ହେବାର ୨୪ଘଣ୍ଟା ମଧ୍ୟରେ ଉକ୍ତ ରାଜ୍ୟ ପାଇଁ ଶ୍ରମିକ ସ୍ପେସାଲ୍ ଟ୍ରେନ୍ ଉପଲବ୍ଧ କରାଯିବ। ଏନେଇ ଭାରତୀୟ ରେଳବାଇ ବୋର୍ଡ ଅଧ୍ୟକ୍ଷ ବିଭିନ୍ନ ରାଜ୍ୟକୁ ପତ୍ରଲେଖି ଜଣାଇଛନ୍ତି। ବୁଧବାର ଏସମ୍ପର୍କରେ ରାଜ୍ୟ ଗୁଡ଼ିକର ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଚିଠି ଲେଖି ଅବଗତ କରାଯାଇଛି। ଜରୁରୀକାଳୀନ ପରିସ୍ଥିତିରେ ୨୪ଘଣ୍ଟାରୁ କମ୍ ସମୟ ଭିତରେ ଟ୍ରେନ୍ ଯୋଗାଇ ଦିଆଯିବ ବୋଲି ମଧ୍ୟ ଭାରତୀୟ ରେଳବାଇ ପକ୍ଷରୁ ଆଶ୍ୱାସନା ଦିଆଯାଇଛି।