ଏନଡ଼ିଏ ଓ ନାଭାଲ ପରୀକ୍ଷା ପାଇଁ କେନ୍ଦୁଝରରୁ ସ୍ୱତନ୍ତ୍ର ଟ୍ରେନ

କେନ୍ଦୁଝର, କେନ୍ଦୁଝରଗଡ଼,ଏନ୍ଏନ୍ଏସ୍: ଆଗାମୀ ରବିବାର ହେବାକୁ ଥିବା ଏନଡ଼ିଏ ଓ ନାଭାଲ ପରୀକ୍ଷା ପାଇଁ ରେଳବିଭାଗ ତରଫରୁ କେନ୍ଦୁଝରରୁ ସ୍ୱତନ୍ତ୍ର ମେମୁ ଟ୍ରେନ ବ୍ୟବସ୍ଥା କରାଯାଇଛି । ଯେଉଁ ପରୀକ୍ଷାର୍ଥୀମାନେ ନିଜସ୍ୱ ଗାଡି କରି ପରୀକ୍ଷା ଦେବାକୁ ଯାଇପାରି ନ ଥାନ୍ତେ ସେମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ ଉପଯୋଗୀ ହେବ ବୋଲି କୁହାଯାଉଛି। ଫଳରେ ଗରିବ ମେଧାବୀ ଛାତ୍ରଛାତ୍ରୀମାନେ କମ ଖର୍ଚ୍ଚରେ ଏହି ଟ୍ରେନରେ ସହଜରେ ଯାତାୟାତ କରିପାରିବେ। ଏହି ଟ୍ରେନଟି ସମସ୍ତ ଷ୍ଟେସନରେ ନ ରହି ନିର୍ଦ୍ଦିଷ୍ଟ କେତେକ ଷ୍ଟେସନରେ ରହିବ ବୋଲି ସୂଚନା ମିଳିଛି ।

ରେଳ ବିଭାଗ କେନ୍ଦୁଝର ଡ଼ିଟିଆଇ ପ୍ରଦୀପ କୁମାର ମହାନ୍ତିଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଟ୍ରେନଟି ସେପ୍ଟେମ୍ବର ୫ ଅର୍ଥାତ ଶନିବାର ସନ୍ଧ୍ୟା ୫ ଟାରେ କେନ୍ଦୁଝରଗଡ଼ ଷ୍ଟେସନରୁ ବାହାରି କେବଳ ହରିଚନ୍ଦନପୁର, ସୁକିନ୍ଦା, ଜଖପୁରା, ହରିଦାସପୁର, ଧାନମଣ୍ଡଳ ଓ କପିଳାସ ରୋଡ଼ରେ ରହିବା ପରେ କଟକ ଷ୍ଟେସନରେ ରାତି ୮.୪୫ ରେ ପହଞ୍ଚିବ। ରବିବାର ଉକ୍ତ ଟ୍ରେନ କଟକ ଷ୍ଟେସନରୁ ୬.୪୫ ରେ ବାହାରି ରାତି ୧୦.୩୫ରେ କେନ୍ଦୁଝରଗଡ଼ ଷ୍ଟେସନରେ ପହଞ୍ଚିବ। ଇଞ୍ଜିନକୁ ଛାଡି ଏଥିରେ ସମୁଦାୟ ୯ ଟି ବଗି ରହିବ ବୋଲି ସୂଚନା ମିଳିଛି । ତେବେ କୋଭିଡ ନିୟମ ମାନି ଏହି ସ୍ୱତନ୍ତ୍ର ଟ୍ରେନ ପାଇଁ ପରୀକ୍ଷାର୍ଥୀମାନେ ଟିକଟ ସଂଗ୍ରହ କରିବା ସହ ଟ୍ରେନରେ ଯାତାୟାତ କରିବେ ବୋଲି ମଧ୍ୟ ସୂଚନା ମିଳିଛି । ରେଳ ବିଭାଗର ଏଭଳି ପଦକ୍ଷେପ ପାଇଁ ଜିଲ୍ଲାର ଅଭିଭାବକମାନେ କୃତଜ୍ଞତା ଜଣାଇଛନ୍ତି।