ନୂଆପଡ଼ା,ଏନ୍ଏନ୍ଏସ୍: ତେଲେଙ୍ଗାନାରୁ ଏକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ବୁଧବାର ଅପରାହ୍ନରେ ନୂଆପଡ଼ା ସଦର ମହକୁମା ରେଳ ଷ୍ଟେସନରେ ପହଞ୍ଚିଛି। ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲା ଏବଂ ପଡୋଶୀ ଛତିଶଗଡ ରାଜ୍ୟର ମୋଟ ୧୬ ଶହରୁ ଅଧିକ ପ୍ରବାସୀ ଶ୍ରମିକ ଓହ୍ଲାଇଛନ୍ତି। ପ୍ରବାସୀଙ୍କ ପଞ୍ଜିକରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଷ୍ଟେସନରେ ୫ଟି କାଉଣ୍ଟର ଖୋଲାଯାଇଥିଲା।
ଟ୍ରେନରେ ନୂଆପଡ଼ା ଜିଲ୍ଲାର ୫୩୮ଜଣ, କଳାହାଣ୍ଡି ଜିଲ୍ଲାର ୧୬୨ଜଣ, ବାଲେଶ୍ୱର ଜିଲ୍ଲାର ୧୬୧ଜଣ, ସୁନ୍ଦରଗଡ ଜିଲ୍ଲାର ୯ଜଣ, ଝାରସୁଗୁଡା ଜିଲ୍ଲାର ୯ଜଣ, ସମ୍ବଲପୁର ଜିଲ୍ଲାର ୯ଜଣ, ଦେବଗଡ଼ ଜିଲ୍ଲାର ୩ଜଣ, ମୟୂରଭଞ୍ଜ ଜିଲ୍ଲାର ୯୪୩ଜଣ, ବରଗଡ, ବଲାଙ୍ଗିର ସମେତ ରାଜ୍ୟର ୩୦ଟି ଜିଲ୍ଲାର ଶ୍ରମିକ ଆସିଥିଲେ। ନୂଆପଡ଼ା ଜିଲ୍ଲାର ୫୩୮ ଜଣ ପ୍ରବାସୀ ପଞୀକରଣ କରିବା ପରେ ସେମାନଙ୍କୁ ବସ୍ ଯୋଗେ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ସଂଗରୋଧ କେନ୍ଦ୍ରକୁ ନିଆଯାଇଛି। ପ୍ରବାସୀ ଶ୍ରମିକମାନେ ଯିବା ବେଳେ ନୂଆପଡ଼ା ଏନଏସି ପକ୍ଷରୁ ଅଞ୍ଚଳକୁ ବିଶୋଧନ କରାଯାଇଥିଲା।
ପ୍ରବାସୀଙ୍କ ପାଇଁ ପ୍ରଶାସନ ତରଫରୁ ଖାଦ୍ୟ ପ୍ୟାକେଟ୍ ଓ ପାଣି ବୋତଲ ବ୍ୟବସ୍ଥା କରାଯାଇଥିଲା। ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କ ତତ୍ତ୍ୱାବଧାନରେ ଏସପି ବିନୀତ ଅଗ୍ରୱାଲ, ଅତିରକ୍ତି ଜିଲ୍ଲାପାଳ ସୁର୍ଯ୍ୟମାଧବ ପାଣିଗ୍ରାହୀ, ଉପଜିଲ୍ଲାପାଳ ତରଣୀସେନ ନାଏକ, ଡିଆରଡିଏ ପିଡି, ନୂଆପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ଆରଟିଓ ପ୍ରଶାନ୍ତ ପରିଡା, ତହସିଲଦାର ଦେବେନ୍ଦ୍ର ରାଉତ, ବିଡିଓ ସୁବେଦାର ପ୍ରଧାନ, ପୁଲିସ ବିଭାଗର ବିଭିନ୍ନ ଅଧିକାରୀ ସମେତ ୧୦୦ରୁ ଅଧିକ କର୍ମଚାରୀ ନିୟୋଜିତ ଥିଲେ। ଏସପି ଶ୍ରୀ ଅଗ୍ରୱାଲଙ୍କ ନେତୃତ୍ୱରେ ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ ପାଇଁ ଜିଲ୍ଲା ସଦର ମହକୁମାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।
ଅନ୍ୟ ଶ୍ରମିକମାନଙ୍କ ପଞ୍ଜିକରଣ ପରେ ସେମାନଙ୍କୁ ସ୍ୱତନ୍ତ୍ର ବସ୍ରେ ନିଜ ଜିଲ୍ଲାରେ ପହଞ୍ଚାଯିବା ବୋଲି ସୂଚନା ମିଳିଛି। ଆଇନଶୃଙ୍ଖଳା ପରିସ୍ଥିତ ନିୟନ୍ତ୍ରଣ ପାଇଁ ୧୪୪ ଧାରା ଜାରି କରାଯାଇଛି। ଜିଲ୍ଲାପ୍ରାଶସନ ପକ୍ଷରୁ ନୂଆପଡ଼ା ସଦର ମହକୁମାର ସମସ୍ତ ଦୋକାନ ବଜାରକୁ ବନ୍ଦ କରାଯାଇଛି।