ରାଜ୍ୟ ବିଜେପିର ସ୍ୱତନ୍ତ୍ର ଟିମ୍ ଅନୁଧ୍ୟାନ କଲେ ଦେବଗଡ଼ର ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଜିଲ୍ଲାର ରିଆମାଳ, ତିଳେଇବଣି ଓ ବାରକୋଟ ବ୍ଲକ ଅଂଚଳରେ ଚଳିତ ଖରିଫରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଚାଷ ଜମି ଫାଟି ଆଁ କରିଥିବାବେଳେ ଅନେକ ସ୍ଥାନରେ ଏଯାଏଁ ଧାନ ରୁଆ କାର୍ଯ୍ୟ ମଧ୍ୟ ସରିନାହିଁ। ଏପରିକି ବର୍ଷା ଅଭାବରୁ ଜିଲ୍ଲାର ଏକମାତ୍ର ମଧ୍ୟମ ଜଳସେଚନ ପ୍ରକଳ୍ପ ‘ଗୋହିରା’ ନଦୀ ମଧ୍ୟ ଶୁଖିଲା ହୋଇପଡ଼ିଥିବାରୁ କେନାଲ ଯୋଗେ ଜଳସେଚନ କରାଯାଇ ଏହି ପ୍ରକଳ୍ପର ୧୯ଟି ପାଣି ପଞ୍ଚାୟତ ଅନ୍ତର୍ଗତ ୮୮ଗ୍ରାମର ଶତାଧିକ ଚାଷୀଙ୍କ ଜମିରେ ପାଣି ପହଞ୍ଚି ନପାରି ଚାଷ ଉଜୁଡ଼ିବାକୁ ବସିଛି। ଏଭଳି ପରିସ୍ଥିତିରେ ଚାଷୀ ଏବଂ ଚାଷ ଜମିର ବାସ୍ତବିକ ସ୍ଥିତି ଅନୁଧ୍ୟାନ ପାଇଁ ଆଜି ରାଜ୍ୟ ବିଜେପି ତଥା ବିରୋଧୀ ଦଳ ନେତା ମୋହନ ମାଝୀଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ କାମାକ୍ଷା ପ୍ରଧାନ ଓ ସମ୍ପାଦକ ଉପାଧ୍ୟାୟ ପାଣିଗ୍ରାହୀ ପ୍ରମୁଖ ତିଳେଇବଣି ଓ ରିଆମାଳ ବ୍ଲକ ଅଂଚଳର ବିଭିନ୍ନ ଗ୍ରାମରେ ପହଞ୍ଚି ଚାଷ ଜମି ପରିଦର୍ଶନ କରିବା ସହ ସମ୍ପୃକ୍ତ ଅଞ୍ଚଳର ଚାଷୀଙ୍କ ସହ ଆଲୋଚନା କରିଥିଲେ।

ସେହିପରି ଅନୁଧ୍ୟାନକାରୀ ଦଳ ଗୋହିରା ଜଳ ଭଣ୍ଡାର ପରିଦର୍ଶନ କରି ଜଳଶୂନ୍ୟ ସ୍ଥିତି ଦେଖି ଚକିତ ହେବାସହ ଦେବଗଡ଼ ଜିଲ୍ଲାରେ ମରୁଡ଼ି ପରିସ୍ଥିତିକୁ ସ୍ୱୀକାର କରିଥିଲେ। ଏନେଇ ଆଗାମୀ ବିଧାନସଭା ଅଧିବେଶନରେ ଦେବଗଡ଼ ଚାଷୀଙ୍କ ବାସ୍ତବିକ ଚିତ୍ରକୁ ଉପସ୍ଥାପିତ କରି ସେମାନଙ୍କୁ ମରୁଡ଼ି ସହାୟତା ଯୋଗାଇବାକୁ ରାଜ୍ୟ ସରକାରଙ୍କଠାରେ ଦାବୀ କରାଯିବ ବୋଲି ଦଳୀୟ ମୁଖ୍ୟ ସଚେତକ ଶ୍ରୀ ମାଝୀଙ୍କ ସମେତ ଉପସ୍ଥିତ ଅନୁଧ୍ୟାନକାରୀ ଦଳର ସମସ୍ତ ସଦସ୍ୟ ପ୍ରକାଶ କରିଥିଲେ। ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସଭାପତି ମୀନକେତନ ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ଅରୁଣ କୁମାର ସାହୁ, ସମ୍ପାଦକ ସତ୍ୟନାରାୟଣ ପାଣି, ସାଂସଦଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ ଓ ଦିବ୍ୟଶଙ୍କର ଖୁଣ୍ଟିଆଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଉପସ୍ଥିତ ଥିଲେ।