ଏଣିକି ରୋଡ ରୋମିଓଙ୍କ ଉପରେ ନଜର ରଖିବ ଏସପିଓ ରାଜ୍ୟ By Nitidin Last updated Jan 2, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: କଟକ-ଭୁବନେଶ୍ୱରର ରାସ୍ତା ଓ ଛକରେ ମହିଳାଙ୍କୁ ଅସଦାଚରଣ ତଥା ହଇରାଣ କରୁଥିବା ଦୁର୍ବୃତ୍ତମାନଙ୍କ ପାଇଁ ସ୍ପେଶାଲ ପୁଲିସ ଅଫିସର(ଏସପିଓ) ନିଯୁକ୍ତ କରାଯାଇଛି। ଯୁବତୀ ଓ ମହିଳାଙ୍କୁ ଅସଦାଚରଣ କରୁଥିବା ଅଭିଯୁକ୍ତମାନଙ୍କୁ ସାବାଡ୍ କରିବେ ଏହି ସ୍ପେଶାଲ ପୁଲିସ ଅଫିସର। କମିସନରେଟ୍ ପୁଲିସର ସମସ୍ତ କ୍ଷମତା ଏବେ ଏମାନଙ୍କ ପାଖରେ ରହିବ। କମିସନରେଟ୍ ପୁଲିସର ୧୩ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଗୁରୁବାର ୩୦୦ ମହିଳାଙ୍କୁ ନେଇ ଏକ ଏସପିଓ ୟୁନିଟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପୁଲିସ୍ କମିଶନର୍ ଡ. ସୁଂଧାଶୁ ଷଡ଼ଙ୍ଗୀ ଏସପିଓଙ୍କ କ୍ଷମତା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। କମିଶନରଙ୍କ କହିବାନୁସାରେ, ଏସ୍ପିଓ ହେଉଛନ୍ତି ପୁଲିସର ଆଖି ଓ କାନ। କମିଶନରେଟ୍ ପୁଲିସର ଯାହା କ୍ଷମତା ରହିଛି, ସମାନ କ୍ଷମତା ଏସପିଓଙ୍କର ମଧ୍ୟ ରହିଛି। ରାସ୍ତାରେ କଣ ହେଉଛି, ମହିଳାଙ୍କ ସହ କିଭଳି ବ୍ୟବହାର କରାଯାଉଛି, ଏଣିକି ସେ ସମସ୍ତ ଘଟଣା ଉପରେ ନଜର ରଖିବା ସହ ସେ ସମ୍ପର୍କରେ ସୂଚନା ଦେବେ ଏସପିଓ। ଖାଲି ରାସ୍ତାଘାଟରେ ନୁହେଁ, କର୍ମକ୍ଷେତ୍ରରେ ହେଉଥିବା ଅସଦାଚରଣକୁ ନେଇ ମଧ୍ୟ ଏମାନେ ସଜାଗ ରହିବେ। ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିପାରିବେ। ନବ ନିଯୁକ୍ତ ହୋଇଥିବା ଏସପିଓ କଟକ ଓ ଭୁବନେଶ୍ୱରର ୫୬ରୁ ଊର୍ଦ୍ଧ୍ୱ ଅନୁଷ୍ଠାନରୁ ସାମିଲ ହୋଇଛନ୍ତି। ଆଇଟି, କଲସେଣ୍ଟର ଓ କଲେଜରୁ ଯୁବତୀମାନେ ଏଥିରେ ଯୋଗ ଦେଇଛନ୍ତି। ସମସ୍ତ ଏସ୍ପିଓଙ୍କୁ କମିଶନର ଷଡ଼ଙ୍ଗୀ ସ୍ୱତନ୍ତ୍ର ଟି-ସାର୍ଟ ପ୍ରଦାନ କରିଛନ୍ତି। ସେମାନଙ୍କ ବ୍ୟତୀତ ଏହି କାର୍ୟ୍ୟକ୍ରମରେ ଓଲିଉଡ଼ କଳାକାର ସବ୍ୟସାଚୀ, ଅର୍ଚ୍ଚିତା ଓ ଭୂମିକା ପ୍ରମୁଖ ଯୋଗ ଦେଇଛନ୍ତି। Share