୧୫ କରୋନା ପ୍ରଭାବିତ ରାଜ୍ୟ ପାଇଁ କେନ୍ଦ୍ରର ସ୍ୱତନ୍ତ୍ର ରଣନୀତି

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀମଣ୍ଡଳସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କରୋନା ମୁକାବିଲା ପାଇଁ କେନ୍ଦ୍ର ବିଶେଷଜ୍ଞ ଟିମ ରାଜ୍ୟକୁ ପଠାଇବ, ଯେଉଁମାନେ କି ସ୍ଥାନୀୟ ପ୍ରଶାସନକୁ ସାହାଯ୍ୟ କରିବେ। ଦେଶରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ୧୫ଟି ରାଜ୍ୟ ପାଇଁ କେନ୍ଦ୍ର ତରଫରୁ ୫୦ଟି ବିଶେଷଜ୍ଞ ଟିମ୍ ଗଠନ କରାଯାଇଛି।

ସୂଚନାଯୋଗ୍ୟ, ୧୫ଟି ରାଜ୍ୟର ୫୦ଟି ଜିଲ୍ଲା ପାଇଁ ୫୦ଟି ବିଶେଷଜ୍ଞ ଟିମ୍ ପ୍ରସ୍ତୁତ କରାଯାଇଛି। ଏହି ତାଲିକାରେ ମହାରାଷ୍ଟ୍ର ଓ ତାମିଲନାଡ଼ୁର ୧୪ ଲେଖାଏଁ, ତେଲେଙ୍ଗାନା, ବିହାର, ହରିୟାଣା ଓ କର୍ଣ୍ଣାଟକର ୪ଟି ଲେଖାଏଁ, ରାଜସ୍ଥାନ, ଓଡ଼ିଶା ଓ ମଧ୍ୟପ୍ରଦେଶର ୫ଟି ଲେଖାଏଁ, ଆସାମର ୬ଟି, ଗୁଜରାଟ ଓ ଉତ୍ତରାଖଣ୍ଡର ୩ଟି ଲେଖାଏଁ, ପଶ୍ଚିମବଙ୍ଗ ଓ ଦିଲ୍ଲୀର ୩ଟି ଲେଖାଏଁ ଜିଲ୍ଲାକୁ ଏହି ଟିମ୍ ପଠାଯିବ।

ଉକ୍ତ ୧୫ଟି ରାଜ୍ୟର ସ୍ଥାନୀୟ ପ୍ରଶାସନ ସହ କେନ୍ଦ୍ରୀୟ ଟିମ୍ କାନ୍ଧରେ କାନ୍ଧ ମିଶାଇ କାମ କରିବ। ସଂକ୍ରମଣକୁ ୧୦୦ ପ୍ରତିଶତ ରୋକିବା ପାଇଁ କେଉଁ ପ୍ରକାର ରଣନୀତି ପ୍ରସ୍ତୁତ କରାଯିବ। ଏଥିସହିତ ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ ଟିମ ସେହି ସ୍ଥାନରେ ଯାଇ ପହଂଚିବ। କେବଳ ଏତିକି ନୁହେଁ ଏହି ୫୦ଟି ଜିଲ୍ଲାର ପ୍ରଶାସନ ସହ କେନ୍ଦ୍ର ସରକାର ଲଗାତାର ସମ୍ପର୍କରେ ରହିବେ।