ପାର୍ବଣ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଉପହାର

ନୂଆଦିଲ୍ଲୀ: ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି। ସୀତରମଣ କହିଛନ୍ତି ଯେ, କୋଭିଡ-୧୯ ଅର୍ଥବ୍ୟବସ୍ଥା ଉପରେ ଖରାପ ପ୍ରଭାବ ପକାଇଛି। ଗରିବଙ୍କୁ ଆତ୍ମନିର୍ଭର ଭାରତ ପ୍ୟାକେଜ ମାଧ୍ୟମରେ ରିଲିଫ୍ ପ୍ରଦାନ କରାଯାଇଛି। ଯୋଗାଣରେ ସୁଧାର ଆସିଥିଲେ ହେଁ ଉପଭୋକ୍ତାଙ୍କ ଚାହିଦା ପୂରଣ କରିବାରେ ଏବେ ବି ସମସ୍ୟା ଦେଖାଦେଉଛି।

ଉପଭୋକ୍ତାଙ୍କ ଚାହିଦାକୁ ଦୃଷ୍ଟିରେ ରଖି ୨ଟି ସ୍କିମ୍ ଲଞ୍ଚ କରାଯାଇଛି। ପ୍ରଥମଟି ହେଲା ଏଲଟୀସୀ କ୍ୟାସ୍ ଭାଉଚର ସ୍କିମ୍ ଓ ଦ୍ୱିତୀୟଟି ସ୍ୱତନ୍ତ୍ର ଫେଷ୍ଟିଭାଲ ଆଡଭାନ୍ସ ସ୍କିମ୍। ଏଲଟିସି ଭାଉଚର ସ୍କିମ୍ ଦ୍ୱାରା ଛୁଟି ବଦଳରେ ରେଳ କିମ୍ବା ଉଡ଼ାଜାହାଜ ଭଡ଼ାରେ ୩ ଗୁଣା ସମାନ ମୂଲ୍ୟର ଜିନିଷ କିଣିପାରିବେ। ଏହି ଭାଉଚର ଦ୍ୱାରା କେବଳ ସେହି ଜିନିଷ କିଣାଯାଇପାରିବ ଯେଉଁଥିରେ ଜିଏସଟି ୧୨ ପ୍ରତିଶତ କିମ୍ବା ତା’ଠାରୁ ଉର୍ଦ୍ଧ ଲାଗିଥିବ। ଏଲଟିସିରେ ସରକାରଙ୍କୁ ନଗଦ ୫ ହଜାର ୬୭୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ଅନ୍ୟପଟେ ସ୍ୱତନ୍ତ୍ର ଫେଷ୍ଟିଭାଲ ଆଡଭାନ୍ସ ସ୍କିମ ଅନ୍ତର୍ଗତ କର୍ମଚାରୀଙ୍କୁ ସରକାର ୧୦ ହଜାର ଟଙ୍କାର ପୂଜା ଆଡଭାନ୍ସ ଦେବେ। ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ପୁଞ୍ଜିଗତ ବ୍ୟୟର ବଡ଼ ପ୍ରଭାବ ଅର୍ଥନୀତି ଉପରେ ପଡ଼ିଥାଏ। ସୀତାରମଣ କହିଛନ୍ତି ଯେ, ଆଜି କରାଯାଇଥିବା ଘୋଷଣା ଦ୍ୱାରା ଅର୍ଥବ୍ୟବସ୍ଥାରେ ମୋଟ ୨୮ ହଜାର କୋଟି ଟଙ୍କାର ସୁଧାର ଆସିବ।