ଭୁବନେଶ୍ୱର,ଏନ୍ଏନ୍ଏସ୍: ସାରା ରାଜ୍ୟରେ ମଦୁଆଙ୍କୁ ଧରପଗଡ଼ ଚାଲିଛି। ଡ୍ରଙ୍କ ଆଣ୍ଡ ଡ୍ରାଇଭ ଅଭିଯାନ ଜାରି ରଖିଛି। ଉତ୍ତର, ଦକ୍ଷିଣ ଓ କେନ୍ଦ୍ରୀୟ ଜୋନ୍ ଦ୍ୱାରା ମଦୁଆ ଡ୍ରାଇଭରଙ୍କୁ ଧରାଯାଉଛି। ଏଥି ପାଇଁ ରାତ୍ରିକାଳୀନ ପାଟ୍ରୋଲିଂକୁ ଜୋରଦାର କରିଦିଆଯାଇଛି। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ନିୟମକୁ ଅଧିକ କଡ଼ାକଡ଼ି କରିଦିଆଯାଇଛି। ତେବେ ଏହି ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ଅଭିଯାନ ବଳରେ ୪୬୬ ଜଣ ମଦୁଆ ଡ୍ରାଇଭରଙ୍କୁ ଅଟକ ରଖାଯାଇଛି। ଏଥିରୁ ୧୯୮ ଜଣ ଚାଳକ ପରିବହନ ବିଭାଗ ହାତରେ ଧରାପଡ଼ିଥିବା ବେଳେ ପୁଲିସ ଦ୍ୱାରା ୨୬୮ ଜଣ ଧରାପଡ଼ିଛନ୍ତି।
ସଡ଼କ ଦୁର୍ଘଟଣା ହ୍ରାସ କରିବା ଉଦ୍ଦେଶ୍ୟରେ ସରକାରଙ୍କ ନିର୍ଦ୍ଦେଶରେ ଏହି ଅଭିଯାନ ଜାରି ରହିଛି। କେବଳ ମେ’ ୬ତାରିଖରେ ୩୭୮ ଜଣ ଡ୍ରାଇଭର ଗିରଫ ହୋଇଛନ୍ତି। ୧୭୯ ଜଣ ଚାଳକଙ୍କର ଲାଇସେନ୍ସ ରଦ୍ଦ ହୋଇଛି। ମୋଟର ଯାନ ଅଧିନିୟମ ୧୯୮୮ର ସେପ୍ଟେମ୍ବର ୨୦୧୯ ସଂଶୋଧନରେ ଉଲ୍ଲେଖ କରାଯାଇଛି ଯେ ମଦ୍ୟପ ଡ୍ରାଇଭିଂ ମାମଲାରେ ପ୍ରଥମଥର ଅପରାଧୀମାନେ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବେ କିମ୍ବା ୧୦, ୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ପୈଠ କରିବେ।
ଯଦି ଦୁଇ ବର୍ଷ ମଧ୍ୟରେ, ଦ୍ୱିତୀୟଥର ଅପରାଧ କରନ୍ତି ତେବେ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ୧୫,୦୦୦ ହଜାର ଟଙ୍କା ଜରିମାନା ଦେଇପାରେ ଦେବାକୁ ପଡିବ। ରାଜ୍ୟରେ ୨୦୨୧ ମସିହାରେ ମଦ୍ୟପାନ କରି ଗାଡି ଚଳାଇବା କାରଣରୁ ୨୪୬ ଟି ସଡକ ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ସମୁଦାୟ ୮୩ ଜଣ ପ୍ରାଣ ହରାଇଛନ୍ତି ଏବଂ ୨୫୧ ଜଣ ଆହତ ହୋଇଛନ୍ତି।