ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟର ୫ଟି ମହାନଗର ନିଗମ ଯଥା- ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଅଞ୍ଚଳରେ ‘ନଗର ବନ’ ଯୋଜନାରେ ୧୩ କୋଟି ୮୪ ଲକ୍ଷ ଟଙ୍କା ବିନିଯୋଗରେ ବ୍ୟାପକ ଜଙ୍ଗଲ ସୃଷ୍ଟି କରାଯିବ। ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ସୋମବାର ରାଜ୍ୟ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ଦେଇଛନ୍ତି।
ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟ ଜଙ୍ଗଲ ମନ୍ତ୍ରୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭେଦକର ବିଭିନ୍ନ ରାଜ୍ୟର ଜଙ୍ଗଲ ମନ୍ତ୍ରୀଙ୍କ ସହ ଜଙ୍ଗଲ ବୃଦ୍ଧି, ବନୀକରଣ, ନଗର ବନ ଯୋଜନା, ବିଦ୍ୟାଳୟ ନର୍ସରୀ, ନଦୀ ଅବବାହିକାରେ ବ୍ୟାପକ ବୃକ୍ଷରୋପଣ ଆଦି ବିଷୟରେ ବ୍ୟାପକ ଆଲୋଚନା କରିଥିଲେ। ଚଳିତ ବର୍ଷ ପ୍ରୋଜେକ୍ଟ ଡଲଫିନ୍ ଓ ପ୍ରୋଜେକ୍ଟ ସିଂହ ସାରା ଦେଶରେ କାର୍ଯ୍ୟକାରୀ କରାଯାଇ ଡଲଫିନ୍ ଓ ସିଂହ ସଂଖ୍ୟା ଶ୍ରୀ ଆରୁଖ କହିଲେ ଯେ ରାଜ୍ୟ ଜଙ୍ଗଲ ରିପୋର୍ଟ-୨୦୧୯ ଅନୁଯାୟୀ ଓଡ଼ିଶାରେ ଶତକଡ଼ା ୩୩.୧୫ ଭାଗ ଜଙ୍ଗଲ ବୃଦ୍ଧି ଘଟିଛି। ବିଗତ ୨୦ ବର୍ଷ ମଧ୍ୟରେ ୪୫୮୬ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ହୋଇଥିବା ବେଳେ ଗତ ଦୁଇବର୍ଷରେ ଓଡ଼ିଶାର ଜଙ୍ଗଲ ପରିସୀମା ୯୨୯ ବର୍ଗ ଜଙ୍ଗଲ ବୃଦ୍ଧି ପାଇଛି। ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସତ୍ତେ୍ୱ ଓଡ଼ିଶାର ଏହି ଉପଲବ୍ଧି ବାସ୍ତବିକ ପ୍ରଶଂସନୀୟ। କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ଓଡ଼ିଶା ପାଇଁ ୧ ଲକ୍ଷ ୧୦ ହଜାର ହେକ୍ଟର ପରିମିତ ଅଞ୍ଚଳରେ ଚାରାରୋପଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ। ତେବେ ଏହି ଲକ୍ଷ୍ୟକୁ ଅତିକ୍ରମ କରି ଆମ ରାଜ୍ୟରେ ଚଳିତ ବର୍ଷ ୧ ଲକ୍ଷ ୩୦ ହଜାର ହେକ୍ଟରରେ ଚାରାରୋପଣ କରାଯାଇପାରିଛି। ରାଜ୍ୟରେ ୧୩ କୋଟି ୭୦ ଲକ୍ଷ ଚାରା ଉତ୍ପାଦିତ ହୋଇ ରୋପଣ ପାଇଁ ସଂରକ୍ଷିତ ରହିଛି। ରାଜ୍ୟର ୧୦୦ଟି ବିଦ୍ୟାଳୟରେ ନର୍ସରୀ ଖୋଲାଯିବ। ଯେଉଁ ବିଦ୍ୟାଳୟଗୁଡିକରେ ଇକୋ-କ୍ଲବଗୁଡ଼ିକ ଉଚ୍ଚକୋଟୀର ବୃକ୍ଷରୋପଣ କାର୍ଯ୍ୟ କରୁଛନ୍ତି, ସେସବୁ ବିଦ୍ୟାଳୟଗୁଡିକୁ ଏହି ବିଦ୍ୟାଳୟ ନର୍ସରୀ ଯୋଜନା ପାଇଁ ଚିହ୍ନଟ କରାଯାଇଛି। କେନ୍ଦ୍ର ସରକାର ପର୍ଯ୍ୟାନ୍ତ ପାଣ୍ଠି ପ୍ରଦାନ କଲେ ଏସବୁ ବିଦ୍ୟାଳୟ ନର୍ସରୀଗୁଡିକ ବୃକ୍ଷରୋପଣରେ ମହତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ। ରାଜ୍ୟ ଜଙ୍ଗଲ ବିଭାଗ ଅନଲାଇନ୍ ଟିମ୍ବର ଟ୍ରାନ୍ସପୋର୍ଟ ପରମିଟ୍ ପୋର୍ଟାଲ ଲୋକାର୍ପିତ କରିସାରିଛି। ଜାତୀୟ ଟ୍ରାନଜିଟ୍ ପାସ୍ ସିଷ୍ଟମ ପୋର୍ଟାଲକୁ ପୁଙ୍ଖାନୁପୁଙ୍ଖ ନିରୀକ୍ଷଣ କରି ତା ସହ ଆମର ପୋର୍ଟାଲକୁ ସଂଯୁକ୍ତ କରାଯାଇଛି। ଏହା ଦ୍ୱାରା ରାଜ୍ୟବାସୀ ନିଜ ଜମିରେ ବିଭିନ୍ନ ମୂଲ୍ୟବାନ ବୃକ୍ଷ ଲଗାଇବା ପାଇଁ ଆଗ୍ରହୀ ହେବେ ଓ ସେମାନଙ୍କୁ ଏହା କାଟିବା ଓ ବିକ୍ରି କରିବା ପାଇଁ ମଧ୍ୟ ଅନୁମତି ଦିଆଯାଇପାରିବ। ରାଜ୍ୟରେ ୧୩୧୫ ମେଟ୍ରିକ ଟନ୍ ରକ୍ତ ଚନ୍ଦନ କାଠ ସଂରକ୍ଷିତ ରହିଛି। ଏହାକୁ ବିକ୍ରି କରିବା ପାଇଁ କେନ୍ଦ୍ର ଆବଶ୍ୟକ ଅନୁମତି ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ। ଦେଶର ବୃହତ୍ ନଦୀଗୁଡ଼ିକ ଅବବାହିକା ଓ ସେଗୁଡ଼ିକର ଦୁଇକୂଳରେ ବ୍ୟାପକ ଜଙ୍ଗଲ ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ରାଜ୍ୟର ମହାନଦୀ ଦୁଇପାଶ୍ୱର୍ରେ ସମ୍ପ୍ରତି କାର୍ଯ୍ୟକାରୀ କରାଯାଉଛି। କେନ୍ଦ୍ର କାମ୍ପା ପାଣ୍ଠିରୁ ଏଥିନିମିତ୍ତ ଆବଶ୍ୟକ ଅନୁଦାନ ପ୍ରଦାନ କଲେ ଏହା ମହାନଦୀର ଦୁଇପାଶ୍ୱର୍କୁ ସମ୍ପୂର୍ଣ୍ଣ ସବୁଜିମାମୟ କରିପାରିବ ବୋଲି ମନ୍ତ୍ରୀ ଆରୁଖ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭେଦ୍କରଙ୍କୁ ଅନୁଦାନ ପ୍ରଦାନ ପାଇଁ ଅନୁରୋଧ ଜଣାଇଥିଲେ। ସୂଚନାଯୋଗ୍ୟ ଯେ ଏହି ଭିଡିଓ କନଫରେନ୍ସିଂ ବୈଠକରେ ଦେଶର ୩୦ଟି ରାଜ୍ୟର ଜଙ୍ଗଲ ମନ୍ତ୍ରୀମାନେ ଯୋଗଦେଇ ସମ୍ପୃକ୍ତ ରାଜ୍ୟର ବନୀକରଣ ଓ ଜଙ୍ଗଲ ପରିସୀମା ବୃଦ୍ଧି ସମ୍ବନ୍ଧରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।