ମାରୱାଡି ଯୁବ ମଞ୍ଚ ପକ୍ଷରୁ ଅକ୍ସିଜେନ ବ୍ୟାଙ୍କର ଶୁଭାରମ୍ଭ କଲେ ଏସ୍ପି

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ କରୋନା ମୁକାବିଲା ପାଇଁ ମାରୱାଡି ଯୁବ ମଞ୍ଚ ପକ୍ଷରୁ ଆଜି ଅକ୍ସିଜେନ ବ୍ୟାଙ୍କର ଶୁଭାରମ୍ଭ କରାଯାଇଛି। ଆଜି ସନ୍ଧ୍ୟାରେ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଦେବଗଡ଼ ଏସପି ମନୋଜ କୁମର ମାହନ୍ତ ଯୋଗଦେଇ ଫିତା କାଟି ଅକ୍ସିଜେନ ବ୍ୟାଙ୍କର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଯୁବାମଞ୍ଚର ଏହି ଉଦ୍ୟମକୁ ଏସପି ଶ୍ରୀ ମାହନ୍ତ ପ୍ରଶଂସା କରିବା ସହ ମଞ୍ଚର ସଦସ୍ୟ ମାନଙ୍କୁ କରୋନା କାଳରେ ଏଭଳି ଉଦ୍ୟମ ଜିଲ୍ଲାରେ କରୋନା ମୁକାବିଲା ପାଇଁ ସହାୟକ ହେବ ବୋଲି ପ୍ରକାଶ କରିବା ସହ ମଞ୍ଚର ପ୍ରତ୍ୟେକ ସଦସ୍ୟଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବୋଧିତ କରିଥିଲେ।

ମାରୱାଡି ଯୁବାମଞ୍ଚ ପକ୍ଷରୁ ଜିଲ୍ଲାରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାର ଜନସାଧାରଣଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଅକ୍ସିଜେନ ଯୋଗାଇବା ଉଦ୍ଦେଶ୍ୟରେ ୭ଟି ଅକ୍ସିଜେନ ସିଲିଣ୍ଡର ଓ ୨ଟି ଅକ୍ସିଜେନ କଂସେଣ୍ଟ୍ରାଟର ନିଃଶୁଳ୍କ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଅକ୍ସିଜେନ ବ୍ୟାଙ୍କ ଶୁଭାରମ୍ଭ ବେଳେ ମଞ୍ଚର ସଭାପତି ମନୀଷ ଅଗ୍ରୱାଲ, ପୂର୍ବତନ ସଭାପତି ଜିତେନ୍ଦ୍ର କୁମାର ଅଗ୍ରୱାଲ, ସଦସ୍ୟା କିରଣ ଦେବୀ ଅଗ୍ରୱାଲ ଓ ଅନିତା ଅଗ୍ରୱାଲଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।